ଝାରସୁଗୁଡ଼ା ତହସିଲ ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ତହସିଲ ଅଫିସ ସମ୍ମୁଖରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ବେଆଇନ ମୋରୁମ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଆଜି ଜିଲ୍ଲା ବିଜେପି ପକ୍ଷରୁ ଝାରସୁଗୁଡ଼ା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ତହସିଲ ଅଫିସକୁ ଆସିଥିଲେ। ହେଲେ ତହସିଲଦାର ଅଫିସରେ ଉପସ୍ଥିତ ନଥିବାରୁ ବିଜେପି କର୍ମକର୍ତ୍ତାମାନେ ଅଫିସର ମୁଖ୍ୟ ଫାଟକ ନିକଟରେ ବସି ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିଜେପି ପକ୍ଷରୁ କୁହାଯାଇଛି ଯେ, ଦଲକି ଗ୍ରାମ ନିକଟରେ ସାତରୁ ଆଠ ଏକର ସରକାରୀ ଜାଗାରେ ମୋରୁମକୁ ଖୋଳି ଚୋରା ଚାଲାଣ କରାଯାଉଛି। ଏବଂ ସେହି ସ୍ଥାନରେ ହଜାର ହଜାର ଟ୍ରିପ ପାଉଁଶ ପକାଯାଉଛି। ଯାହାକୁ ନେଇ ଗ୍ରାମବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ପ୍ରଶାସନିକ ଅଧିକାରୀମାନେ କମ୍ପାନୀ ସହିତ ହାତ ମିଳାଇ କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣି ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଦଲକି ଗ୍ରାମରେ ହୋଇଥିବା ଚୋରା ମୋରୁମ ଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି।