ପଛୁଆବର୍ଗଙ୍କୁ ସଂରକ୍ଷଣ, ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

‘ନିଷ୍ପତ୍ତିରେ ବିଳମ୍ବ ହାନି ପହଞ୍ଚାଉଛି’

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ପଛୁଆବର୍ଗଙ୍କୁ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ ଲାଗି ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତୃତୀୟ ଥର ଚିଠି ଲେଖିଛନ୍ତି। ରାଜ୍ୟର ମୋଟ୍ ଜନସଂଖ୍ୟାର ଏକ ବଡ଼ ଅଂଶ ହୋଇଥିବାରୁ ଏହି ବର୍ଗଙ୍କୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସମାନତା ଲାଗି ସଂରକ୍ଷଣ ସୁବିଧା ଯୋଗାଇବାର ଆବଶ୍ୟକତା ରହିଛି ବୋଲି ଚିଠିରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏପରିକି ନିଷ୍ପତ୍ତି ନେବାନେଇ ରାଜ୍ୟ ସରକାର ଅନିଶ୍ଚିତତାରେ ରହିବା ଏବଂ ବିଳମ୍ବ କରିବା ଏହି ବର୍ଗଙ୍କ ବିକାଶ କ୍ଷେତ୍ରରେ ହାନି ପହଞ୍ଚାଉଛି ବୋଲି ସେ ଲେଖିଛନ୍ତି।
ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିଛନ୍ତି। ଏହି ପ୍ରସଙ୍ଗରେ ସେ ନିଜର ଦୀର୍ଘଦିନର ଅନୁରୋଧ, ପଛୁଆବର୍ଗ(ଓବିସି)ଙ୍କୁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆବର୍ଗ(ଏସଇବିସି) ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ କଥା ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଛନ୍ତି। ଏ ବାବଦରେ ପୂର୍ବରୁ ଦୁଇଥର ଅର୍ଥାତ୍ ଜୁଲାଇ ୨୫, ୨୦୧୯ ଏବଂ ଜାନୁଆରୀ ୧୫, ୨୦୨୦ରେ ଲେଖିଥିବା ପତ୍ରକୁ ସଂଲଗ୍ନ କରି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଅନୁରୋଧକ୍ରମେ ରାଜ୍ୟ ସରକାର ଫେବୃୟାରୀ ୧୨, ୨୦୨୦ରେ ବ୍ୟାକୱାଡ୍ କ୍ଲାସ୍ କମିଶନ ଗଠନ କରିଛନ୍ତି। ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ କି ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣର ଅନୁରୋଧ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।

ଓଡ଼ିଶା ଲୋକଙ୍କ ସ୍ୱାର୍ଥଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସଇବିସି ଜନସଂଖ୍ୟା ସପକ୍ଷରେ ବିହୀତ ପଦକ୍ଷେପ ନେବାର ଆବଶ୍ୟକତା ଏବଂ ଏହାର ଯୁକ୍ତିକୁ ଦୋହରାଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ରାଜ୍ୟର ମୋଟ୍ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ। ହେଲେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ସୁଯୋଗରୁ ଦୀର୍ଘଦିନ ଧରି ବଞ୍ଚିତ ହୋଇରହିଛନ୍ତି। ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ। କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷାକ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁକରିଛନ୍ତି। ହେଲେ ଓଡ଼ିଶାରେ ଏହି ବର୍ଗଙ୍କ ପାଇଁ ଏଭଳି ସକରାତ୍ମକ ପଦକ୍ଷେପ ନେବାରେ ରାଜ୍ୟ ସରକାରଙ୍କ ବିଳମ୍ବ ପରିଲକ୍ଷିତ ହୋଇଛି। ରାଜ୍ୟରେ ସାମାଜିକ-ଅର୍ଥନୈତିକ ବିକାଶର ସମନ୍ୱୟକୁ ଧରି ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଓଡ଼ିଶାର ବୃହତ ଅବହଳିତ ସମାଜ ଓବିସି ଏବଂ ଏସଇବିସି ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗ୍ରାଧିକାର ପ୍ରଦାନ କରିବା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେବାପାଇଁ ମୁଖ୍ୟମନ୍ତ୍ରୀ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ।