ବର୍ଷାଙ୍କ ଜାତିକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ

ବରଗଡ଼,ଏନ୍ଏନ୍ଏସ୍: ଦୁଇ ଦିନ ପରେ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଜୋରଦାର ପ୍ରଚାର କରୁଛନ୍ତି ତିନି ଦଳର ନେତା । ମାଳ ମାଳ ଜନସଭା ସାଙ୍ଗକୁ ରୋଡ ସୋ’ ଚାଲିଛି । ଏସବୁ ଭିତରେ ବିଜେଡି ଓ ବିଜେପି ଦଳର ନେତାମାନଙ୍କ ମଧ୍ୟରେ ବୟାନବାଜି ଥମିବାର ନାଁ ନେଉନାହିଁ । ଉଭୟ ଦଳର ନେତାମାନେ ପରସ୍ପର ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଉଛନ୍ତି । ଏପରିକି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଜାତି ଓ ବ୍ୟକ୍ତିଗତ ଜୀବନକୁ ନେଇ ବିଜେପି ନେତା ଆକ୍ଷେପ କରୁଥିବା ଦେଖାଯାଇଛି । ଏକ ସାଧାରଣ ସଭାରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବର୍ଷାଙ୍କୁ ଆକ୍ଷେପ କରିଛନ୍ତି ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ସାଂସଦ ଜୁଏଲ ଓରାମ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ । ଗତକାଲି(ଗୁରୁବାର) ଝାରବନ୍ଧ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସୁନ୍ଦର ସାଂସଦ ଓରାମ୍ ଉଦବୋଧନ ଦେଇ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘‘ହାତୀ ଠାରୁ ବଡ ହେଉଛି ଜାତି । ବର୍ଷା ସିଂ ବରିହା କାହାକୁ ବିବାହ କରିଛନ୍ତି ? ବାହାଘର ପରେ ବର୍ଷ ସିଂ ବରିହା ଆଦିବାସୀ କି ନୁହେଁ । ସତ୍ୟବାଦୀ ବିଜେପି ନେତା ରମାରଞ୍ଜନ ବଳିଆର ସିଂଙ୍କ ବୋହୂ ହେବା ପରେ ସେ ଏବେ କ’ଣ ଆଦିବାସୀ ସମ୍ପ୍ରଦାୟର ? ବିବାହ ପରେ ବର୍ଷା ଆଉ ସିଂ ବରିହା ହୋଇନାହାନ୍ତି ବରଂ ବଳିୟାର ସିଂ ହୋଇଯାଇଛନ୍ତି । ଯିଏ ଜାତିର ନୁହେଁ ସେ ପାର୍ଟିର କେମିତି ହେବ ? ମାଟିର କେମିତି ହେବ ।” ଏପରି କହି ସାଂସଦ ଆକ୍ଷେପ କରିଥିଲେ ।

ଆହୁରିମଧ୍ୟ ବିଜେଡି ପ୍ରାର୍ଥୀ ବର୍ଷା ପ୍ରଚାର ସମୟରେ କାନ୍ଦିବାକୁ ନେଇ ମଧ୍ୟ ଜୁଏଲ ଓରାମ ତାଙ୍କ ବ୍ୟକ୍ତିଗତ ଜୀବନ ଉଠାଇ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ”ବର୍ଷା ତାଙ୍କ ବାପାଙ୍କ ପରି ଅନ୍ୟ ଜାତିରେ ପ୍ରେମ ବିବାହ କରିଛନ୍ତି । ସେ ଶାଶୁଘରକୁ ବିଦା ବେଳେ କାନ୍ଦି ନଥିଲେ ବୋଲି ଏବେ କାନ୍ଦି ତାହା ପୂରଣ କରୁଛନ୍ତି ।” ଉପନିର୍ବାଚନରେ ଆରୋପ ପ୍ରତ୍ୟାରୋପ ସହ ଏପରି ବୟାନ ବାଜି ନେଇ ପଦ୍ମପୁର ରାଜନୀତି ସରଗରମ ରହିଛି ।