ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସ୍‌ଡବ୍ଲୁ

ଭୁବନେଶ୍ବର,ଏନ୍ଏନ୍ଏସ୍: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଜେଏସ୍‌ଡବ୍ଲୁ ଷ୍ଟିଲ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କ ବଡ଼ ଘୋଷଣା । ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସ୍‌ଡବ୍ଲୁ ଷ୍ଟିଲ । ଏହାପୂର୍ବରୁ ୨୦୧୮ ମେକ ଇନ୍‌ ଓଡ଼ିଶାରେ ୬୦ ହଜାର କୋଟି ନିବେଶ ଲାଗି ଘୋଷଣା ହୋଇଥିଲା । ସେଥିରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ସଜ୍ଜନ ଜିନ୍ଦଲ କହିଛନ୍ତି, ବଡ଼ ବଡ଼ ଶିଳ୍ପ ଆସିଲେ ହଜାର ହଜାର ଏମ୍‌ଏସ୍‌ଏମ୍‌ଇ ଗଢି ଉଠିବ । ଓ଼ିଶାରେ ଏକ ସ୍ଥିର ସରକାର ଅଛି । ପୁରୁଣା ମନ୍ଦିରଗୁଡିକର ନବୀକରଣ କରିଛନ୍ତି ନବୀନ ବାବୁ ।

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାର ଦୁଇ ଘଣ୍ଟା ଭିତରେ କେନ୍ଦ୍ରାପଡ଼ା ଷ୍ଟିଲ ପ୍ଲାଣ୍ଟ ଲାଗି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହା ଓଡ଼ିଶା ସରକାର । ରାଜ୍ୟ ସରକାର କେତେ ସ୍ପିଡ୍‌ କାମ କରନ୍ତି, ତାହାର ଉଦାହରଣ ଦେଲେ ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ।

ଓଡ଼ିଶା ଦ୍ୱିତୀୟ ଘର । ପ୍ରଥମ କର୍ମଭୂମି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଏକଥା କହିଛନ୍ତି ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ । ସେ କହିଛନ୍ତି, ୨୦ ବର୍ଷ ତଳେ ଓଡ଼ିଶାରେ ନିବେଶ କରିଥିଲୁ । ଓଡ଼ିଶା ହେଉଛି ଭାରତର ଆଧୁନିକ ମନ୍ଦିର । ଅନୁଗୁଳରେ ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ତିଆରି କରୁଛୁ । ଯାହାକି ସହଜ ନୁହେଁ । ଏଥିପାଇଁ ସମସ୍ତଙ୍କର ଆଶୀର୍ବାଦ ଦରକାର । ଏଥିସହ କୋଭିଡରେ ଅକ୍ସିଜେନ ସିଲିଣ୍ଡର ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ଭୂମିକା ନେଇଥିଲା ବୋଲି ନବୀନ ଜିନ୍ଦଲ କହିଛନ୍ତି ।
ଓଡ଼ିଶାରେ ୬୦ ହଜାର କୋଟି ନିବେଶ କରିବ ଅଦାନୀ ଗ୍ରୁପ୍‌ । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଏହି ଘୋଷଣା କରିଛନ୍ତି ଆଦାନୀ ଗ୍ରୁପ୍‌ ସିଇଓ କରନ ଅଦାନୀ । ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ପୁଞ୍ଜିନିବେଶ କରିବ । ଓଡ଼ିଶାରେ ୪ ମିଲିୟନ ଟନ୍‌ କ୍ଷମତାର ଆଲୁମିନା ରିଫାଇନାରୀ ସ୍ଥାପନ କରାଯିବ । ୩୦ ମିଲିୟନ ଟନ୍‌ର ଲୁହା ପଥର ପ୍ରକଳ୍ପ ସ୍ଥାପନ କରିବ ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ବିଜ୍‌ନେସ ଲିଡରସିପ୍‌ ଟକ୍‌ରେ ଓଡ଼ିଶା ସହ ସଂପର୍କ ବଖାଣିଛନ୍ତି ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ। ଓଡ଼ିଶାରେ ଟାଟା ଷ୍ଟିଲ, ଟିସିଏସ ଓ ଟାଟା ପାୱାରରେ ପୁଞ୍ଜିନିବେଶ କରିଛି। ରାଜ୍ୟରେ ପ୍ରାୟ ୭୫ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଥିବା କହିଛନ୍ତି ଟିଭି ନରେନ୍ଦ୍ରନ। କଳିଙ୍ଗନଗରରେ ନିଜସ୍ୱ ପ୍ଲାଣ୍ଟ ସ୍ଥାପନ ସହ ଭୂଷଣ ଓ ନୀଳାଚଳ ଇସ୍ପାତକୁ ଅଧିଗ୍ରହଣ କରିଛି। ୯ନିୟୁତ ଟନ ଇସ୍ପାତ ଉତ୍ପାଦନ କ୍ଷମତା ସହ ଆମେ ଏକ ନଂ ଇସ୍ପାତ ନିର୍ମାତା। ଓଡ଼ିଶାରେ ଟାଟା ଗ୍ରୁପରେ ୫୦ହଜାର କର୍ମଚାରୀ କାମ କରୁଥିବା ସେ କହିଛନ୍ତି।

ଓଡ଼ିଶାରେ ବେଦାନ୍ତ ପୁଞ୍ଜିନିବେଶ କରିବ ୨୫ ହଜାର କୋଟି ଟଙ୍କା । ଗତ ୨୨ ବର୍ଷ ମଧ୍ୟରେ ବେଦାନ୍ତ ରାଜ୍ୟରେ ୮୦ ହଜାର କୋଟି ଟଙ୍କା ନିବେଶ କରିସାରିଛି । ଡିଜିଟାଲ ୟୁନିଭରସିଟି କରିବା ଲକ୍ଷ୍ୟ ରହିଛି । ଜଗନ୍ନାଥଙ୍କ ଆଶୀର୍ବାଦ ମିଳିଲେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ହେବ ବୋଲି କହିଛନ୍ତି ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରଓ୍ଵାଲ ।

ମେକ ଇନ ଓଡ଼ିଶାରେ ଯେତିକି ଭିଡ଼ ଓ ଯେତିକି ଉତ୍ସାହ, ଅନ୍ୟ ରାଜ୍ୟରେ ଦେଖିନାହୁଁ ବୋଲି ବଡ଼ ବଡ଼ ବିଜନେସ ଲିଡର । ପ୍ରଥମ ସଂସ୍କରଣରେ ୨ ଲକ୍ଷ ଓ ଦ୍ୱିତୀୟ ସଂସ୍କରଣରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଆଜି ଦ୍ୱିତୀୟ ଦିନରେ ୭.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି ।