ବିଜେଡିରେ ମିଶିଲେ ସହାରପଡା ବ୍ଲକ ଅଧକ୍ଷା ରମ୍ଭାବତୀ ଦେହୁରୀଙ୍କ ସହ ଅନ୍ୟ ବିଜେପି କର୍ମୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ବିଜେପି ଗଡ଼ କୁହାଯାଉଥିବା ସାହାରପଡା ବ୍ଲକର ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି। ଭୁବନେଶ୍ୱର ଠାରେ ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ ମିଶିଛନ୍ତି। ତାଙ୍କ ସହ ରାଇଡିହା ପଞ୍ଚାୟତର ସରପଞ୍ଚ ପାର୍ବତୀ ହୋ ,ନରେନ୍ଦ୍ର ମହାନ୍ତ, ଦିବାକର ମହାନ୍ତ, ନମିତା ମହାନ୍ତ, ନୀଳକଣ୍ଠ ଦେହୁରୀ ପ୍ରମୁଖ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର ସ୍ଥିତ ମାନ୍ୟବର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ, ରାଜ୍ୟ ବରିଷ୍ଠ ଉପସଭାପତି ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ସଭାପତି ରାକେଶ କୁମାର ରାମ ଏବଂ କେନ୍ଦୁଝର ଜିଲ୍ଲାର ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ନୂତନ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ନେତୃମଣ୍ଡଳୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏମାନଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ କରିବ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି।