ନୂଆଦିଲ୍ଲୀ,ଏଜେନ୍ସି: ମୌସୁମୀ ଅଧିବେଶନରେ ଶେଷ ପର୍ଯ୍ୟନ୍ତ ନିଲମ୍ବିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍। ରାଜ୍ୟସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହାତରୁ ପେପର ଛଡାଇନେଇଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ତାଙ୍କର ବିଶୃଙ୍ଖଳୀୟ ଆଚରଣ ପାଇଁ ନିଲମ୍ୱିତ ହୋଇଛନ୍ତି ଟିଏମସି ସାଂସଦ। ଆଜି ଅଧିବେଶନ ଆରମ୍ଭରୁ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା।
ପ୍ରଥମେ ନିଲମ୍ବନ ପ୍ରସ୍ତାବ ପାରିତ ହେବା ପରେ ଅଶ୍ଳୀଳ ଆଚରଣ ପାଇଁ ଶାନ୍ତନୁ ସେନଙ୍କୁ ସଂସଦର ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ସୂଚନା ଥାଉକି, ଗତକାଲି ରାଜ୍ୟସଭାରେ ଚାଲିଥିବା ପ୍ରକ୍ରିୟା ସମୟରେ ଶାନ୍ତନୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇ ଉପରକୁ ଫିଙ୍ଗିଥିଲେ। ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଭାରତୀୟଙ୍କ ଗୁପ୍ତଚର ଖବର ଏବଂ ଏହି ପ୍ରସଙ୍ଗରେ ବିରୋଧର ଅଭିଯୋଗ ସମ୍ପର୍କରେ ବୈଷ୍ଣବ ଉପର ଗୃହରେ ଏକ ବିବୃତ୍ତି ଦେଉଥିଲେ।
ଗତକାଲି ଅପରାହ୍ନରୁ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଡେପୁଟି ଚେୟାରମ୍ୟାନ୍ ବୈଷ୍ଣବଙ୍କ ନାଁ ଡାକିଥିଲେ। ଏଥିସହିତ ତୃଣମୂଳ କଂଗ୍ରେସର ସଦସ୍ୟ ତଥା କିଛି ବିରୋଧୀ ଦଳ ପୋଡିୟମ ନିକଟରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ସଦସ୍ୟ ଶାନ୍ତନୁ ସେନ ବିବୃତ୍ତିର ନକଲକୁ କେନ୍ଦ୍ର ମନ୍ତ୍ରୀଙ୍କ ହାତରୁ ଘୋଷାଡି ନେଇ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ। ଏହି ପରିସ୍ଥିତିରେ ବୈଷ୍ଣବ ବିବୃତ୍ତିର ନକଲକୁ ଗୃହର ଉପସ୍ଥାପନ କରିଥିଲେ।