କନ୍ଧମାଳ ଗର୍ଭବତୀ ଛାତ୍ରୀ ମୃତ୍ୟୁ ଘଟଣା, ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳରେ ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦିନିକିଆ ବେଲଘର ଗସ୍ତ କରି ବିଭିନ୍ନ ତଥ୍ୟ ହାସଲ କରିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଟିମ୍ । ଏହାସହିତ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି କରିଛି ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏହି ଟିମ୍ ବେଲଘର ଗସ୍ତ କରି ରାଙ୍ଗପାରୁ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଥିଲେ । ଏହାପରେ ବାଲିଗୁଡ଼ା ଏସଡିପିଓ ଓ ଅତିରିକ୍ତ ଏସପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘୁ.ଉଦୟଗିରି ଗସ୍ତ କରି ଛାତ୍ରୀ ଜଣକ ରହୁଥିବା ସୁଭଦ୍ରା ମହତାବ ସେବା ସଦନ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ ଆଣିଛି ଟିମ୍ ।

ରଙ୍ଗାପରୁ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ୧୫ ଦିନରେ ଥରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଣେ ଏଏନଏମ ନିଯୁକ୍ତ ହୋଇଥିଲେ । ନାବାଳିକା ଗର୍ଭବତୀ ହୋଇଥିବା କଥା ସେ ଜଣାପାରିଲେନି କେମିତି ? ନା ସବୁ ଜାଣି ଘଟଣାକୁ ଚାପିବାକୁ ଉଦ୍ୟମ ହୋଇଥିଲା ? ଘଟଣା ପ୍ରଘଟ ହେବା ଆଶଙ୍କାରେ ଛାତ୍ରୀଙ୍କୁ ଚିକିତ୍ସା ଯୋଗାଇବାରେ ଅବହେଳା କରିଥିଲେ କି ସ୍କୁଲ କର୍ତ୍ତୃପକ୍ଷ ? ଏସବୁରେ ପ୍ରଧାନଶିକ୍ଷକଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛି ବିଜେପି ଫ୍ୟାକ୍ଟ ପାଇଣ୍ଡିଂ ଟିମ୍ ।