ଆଜି ନିର୍ଣ୍ଣାୟକ ଲଢେଇ, ସିରିଜ କବଜା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ । ସିରିଜ ୧-୧ରେ ବରାବର ରହିଛି । ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିଲେ ମଧ୍ୟ ଦ୍ବିତୀୟ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ବରାବର କରିଥିଲେ ଟିମ ଇଣ୍ଡିଆ । ଏବେ ସିରିଜ ସିଲ କରିବା ଲକ୍ଷ୍ୟରେ ରହିଛି ଭାରତ । ନିର୍ଣ୍ଣାୟକ ଲଢେଇ ସହ ସିରିଜ ଜିତିବା ଉପରେ ଦଳର ନଜର ରହିଛି । ସେପଟେ ଶେଷ ଦିନିକିଆ ସହ ସିରିଜ ଜିତି ଗସ୍ତ ଶେଷ କରିବାକୁ ଜୋରଦାର ପ୍ରସ୍ତୁତି କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ ।

ଅଭିଜ୍ଞ ଓପନର ଶିଖର ଧାୱନଙ୍କ ନେତୃତ୍ବରେ ତୃତୀୟ ଦିନିକିଆ ସହ ସିରିଜ ଜିତି ଏକ ବଡ ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଛି । ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ରୋମାଞ୍ଚ ଭରିଥିଲେ ଶ୍ରେୟାସ ଆୟର । ଧାୱନ ଓ ଶୁଭମନ ଗିଲ ସଫଳ ହୋଇନଥିଲେ ମଧ୍ୟ ମିଡିଲ ଅର୍ଡରରେ ଶ୍ରେୟାସ ଆୟର, ଇଶାନ କିଷନ ଓ ସଞ୍ଜୁ ସାମସନ ଦମଦାର ପ୍ରଦର୍ଶନ କରିଥିଲେ। ଶ୍ରେୟାସ ଆୟର ଏକ ସଫଳ ଇନିଂସ ଖେଳିବା ସହ ଅପରାଜିତ ଶତକ ହାସଲ କରିଥିଲେ ।

ଇଶାନ ଶତକ ହାସଲରୁ ମାତ୍ର କିଛି ରନର ଦୂରରେ ଥିଲେ ବି ଦମଦାର ପାଳି ଖେଳିଥିଲେ । ଆଜିର ମୁକାବିଲା ଉଭୟଙ୍କଠୁ ସମାନ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ । ବୋଲିଂରେ ମହମ୍ମଦ ସିରାଜ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ସାହାବାଜ ଅହମ୍ମଦ ପଦାର୍ପଣ କରି ଉନ୍ନତ ପ୍ରଦର୍ଶନ କରିଥିଲେ । ଫଳରେ ଏକ ଜବରଦସ୍ତ କମବ୍ୟାକ କରି ଦ୍ବିତୀୟ ଦିନିକିଆକୁ ଜିତିଥିଲା ଭାରତ । ଆଜି ମଧ୍ୟ ଦଳର ସମାମ ପ୍ରଦର୍ଶନ ଆଶା କରାଯାଉଛି । ଛୋଟମୋଟ ତ୍ରୁଟିକୁ ସୁଧାରି ଦଳ ଏକ ସଫଳ ଇନିଂସ ଖେଳିବା ଲକ୍ଷ୍ୟରେ ରହିଛି । ଏକାଦଶରେ ପରିବର୍ତ୍ତନ ହୋଇ ନପାରେ ।

ପ୍ରଥମ ଦିନିକିଆ ଜିତିଥିବା ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ସହ ସରିଜ ଜିତିବାକୁ ଜୋରଦାର ପ୍ରସ୍ତୁତି କରିଛି । ସିରିଜ ଜିତି ବିଶ୍ବ ରାଙ୍କିଙ୍ଗରେ ଉନ୍ନତ ଆଣିବା ଉପରେ ନଜର ରଖିଛି । ସୁପର ଲିଗ ତାଲିକାରେ ଦଳ ୫୯ ପଏଣ୍ଟ ସହ ୧୧୧ ତମ ସ୍ଥାନରେ ରହିଛି । ଆଜିର ମୁକାବିଲାରେ ବିଜୟୀ ହେଲେ ଦଳ ନବନ ସ୍ଥାନକୁ ଉଠିବ । ତେଣୁ ବିଜୟ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ୨୦୧୫ରେ ଭାରତରେ ଦକ୍ଷିଣ ଆଫ୍ରିକା ଗୋଟିଏ ଦିନିକିଆ ସିରିଜ ଜିତିଛି । ୩-୨ରେ ବିଜୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା । ଗତ ୭ଟି ସିରିଜରୁ ଭାରତ କେବଳ ଗୋଟିଏରେ ପରାସ୍ତ ହୋଇଛି ।