ମମିତା ମେହେର ମୃତ୍ୟୁ ଘଟଣା ଓ ମାହାଙ୍ଗାରେ ଡବଲ ମର୍ଡରକୁ ନେଇ ବିଜେପିର ବ୍ଲକ କାର୍ଯ୍ୟାଳୟ ଘେରାଉ

କୁଆଁପାଳ,ଏନ୍ଏସ୍ଏସ୍: ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ଓ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଯାହାକୁ ନେଇ ବିଜେପି ତରଫରୁ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏସବୁ ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହେବା ପରେ ବି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନ ରହିବା ଘଟଣାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଏନେଇ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଜେପି ଦାବି କରିଛି।

ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ଓ ମାହାଙ୍ଗାର ବିଜେପି ଯୁବନେତା ଶାରଦା ପ୍ରଧାନଙ୍କ ଆହ୍ୱାନକ୍ରମେ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରି ବିଜେପି କର୍ମୀମାନେ ବିଭିନ୍ନ ପ୍ରକାର ନାରାବାଜି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର କଟକ ଜିଲ୍ଲା ସଭାପତି ଯାଜ୍ଞସେନୀ ଜେନା, ଉପସଭାପତି ମନୋରଞ୍ଜନ ନାୟକ, ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଅଶୋକ କୁମାର ବାରିକ, ବରିଷ୍ଠ କୃଷକ ନେତା ବିଶ୍ୱନାଥ ଜେନା, ଜଗଜୀବନ ବେହୁରା, ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ଋଷି କୁମାର ରାଉତ, ଅରୁଣ କୁମାର ସେଠୀ, ନିର୍ମଳ ରାଉତ, ବରାହୀପୁର ସରପଞ୍ଚ କିଶୋର କୁମାର ରାଉତ, ଗୋତରା ପଞ୍ଚାୟତ ସରପଞ୍ଚ ରଞ୍ଜନ ବେହୁରା, ନୃତାଙ୍ଗର ସମିତି ସଭ୍ୟ ରମାକାନ୍ତ ବରାଳ, ଆଇନଜୀବୀ ଗୌତମ ଶତପଥି, ଉମେଶ ଭଞ୍ଜ, ସମସ୍ତ ମହିଳା ମୋର୍ଚ୍ଚା, ଯୁବମୋର୍ଚ୍ଚା, ବୁଥ୍ ପ୍ରମୁଖ ପଞ୍ଚାୟତ ପ୍ରଭାରୀଙ୍କ ସମେତ ବହୁ ବିଜେପି କର୍ମୀ ଯୋଗଦେଇ ସରକାରଙ୍କ କାର୍ଯ୍ୟକଳାପକୁ କଠୋର ସମାଲୋଚନା କରିଥିଲେ।