ପଡ଼ୋଶୀ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୁରେମାଲ ଗ୍ରାମର କାର୍ତ୍ତିକ ରାଉତଙ୍କ ଝୁଲନ୍ତା ମୃତଦେହ ତାଙ୍କ ଗ୍ରାମର ବିଜୁ ଧରେଇ(ପଡୋଶୀ)ଙ୍କ ଘରୁ ଗତ ୨୫ ତାରିଖରେ ରେଙ୍ଗାଲି ପୁଲିସ ଉଦ୍ଧାର କରିଥିଲା। କିନ୍ତୁ କାର୍ତ୍ତିକ ଅତ୍ମହତ୍ୟା କରିନାହାନ୍ତି ବରଂ ଏହା ଏକ ସୁନିୟୋଜିତ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କାର୍ତ୍ତିକଙ୍କୁ ବିଜୁ ଧରେଇ, ସୁଭଦ୍ରା ଡନସନା ଏବଂ ବିଜୁଙ୍କ ପରିବାର ଲୋକେ ମିଶି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି। ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି କାର୍ତ୍ତିକଙ୍କ ବାପା, ମା’ ଓ କୁରେମାଲ ଗ୍ରାମର ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦାବି କରିଛନ୍ତି। ଏନେଇ ସେମାନେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବାସହ ଦାବିପତ୍ର ପ୍ରଦାନ କରିଛନ୍ତି। ହେଲେ ପୁଲିସ ଘଟଣାକୁ ଗୁରୁତର ସହ ତଦନ୍ତ କରିବା ବଦଳରେ ଅବହେଳା କରୁଛି। ସେଥିପାଇଁ ଘଟଣାକୁ ୧୦ଦିନରୁ ଉର୍ଦ୍ଧ୍ୱ ସମୟ ହୋଇ ସାରିଥିଲେ ହେଁ ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ କି ମୃତକଙ୍କ ପରିବାରକୁ କୌଣସି ସୂଚନା ପ୍ରଦାନ କରୁନାହିଁ। ସେଥିପାଇଁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ତ୍ତିକକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।