ନାବାଳିକା ଦୁଷ୍କର୍ମ ଘଟଣାରେ ସରକାରଙ୍କୁ ଘେରିଲା ବିଜେପି; ମହିଳାଙ୍କୁ ସୁରକ୍ଷା ଦେଇ ନପାରିଲେ ଗାଦି ଛାଡ଼

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଏକ ନବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାଠାରେ କିଛି ଦୁବୃର୍ତ୍ତ ୨୨ ଦିନ ଧରି ଦୁଷ୍କର୍ମ କରିବା ଘଟଣା ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ମୁଖା ଖୋଲିଦେଇଛି । କମିଶନରେଟ ଅଧୀନରେ ଥିବା କଟକ ସହରରେ ୩ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଏକ ନାବାଳିକା ସହ ଦୁଷ୍କର୍ମ ହେଉଥିବାବେଳେ ପୁଲିସ ଓ ପ୍ରଶାସନ କିପରି ଏ ସମ୍ବନ୍ଧରେ କିଛି ଜାଣିପାରିଲେ ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳାଙ୍କ ସୁରକ୍ଷା ଦିଗରେ କୌଣସି କଠୋର ଆଇନ ରାଜ୍ୟରେ ଲାଗୁ ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି । ଯେଉଁମାନେ ମହିଳାଙ୍କୁ ସୁରକ୍ଷା ଦେଇପାରିବେ ସେ ରାଜନୈତିକ ଦଳ ନିଜ ଗାଦି ଛାଡ଼ନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ ଗତ ୨ ବର୍ଷ ମଧ୍ୟରେ ବିଜେପି ପକ୍ଷରୁ ୧୫୦ରୁ ଉର୍ଦ୍ଧ୍ୱ ଦୁଷ୍କର୍ମ ଘଟଣା ସଂପର୍କରେ ରାଜ୍ୟସରକାରଙ୍କୁ ଅବଗତ କରାଇବା ପରେ ବି ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର, ଦୁଷ୍କର୍ମ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ନୀରବ ରହିଛନ୍ତି । କେବଳ ଏହି ଘଟଣା ନୁହେଁ ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା, ବୀରମିତ୍ରପୁର ପୁଲିସ ଥାନା ଭିତରେ ଥାନା ଅଧିକାରୀ ଏକ ନାବାଳିକା ଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣା ବିରୋଧରେ ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଅନ୍ୟପଟେ ତିର୍ତ୍ତୋଲରେ ଉପନିର୍ବାଚନରେ ରାଜ୍ୟ ସରକାର, ପୁଲିସ ଓ ପ୍ରଶସାନ ନିର୍ବାଚନ କିପରି ଶାସକ ଦଳ ଜିତିବ ସେନେଇ କାର୍ଯ୍ୟ କରୁଛନ୍ତି ।

ଶାସକ ଦଳ ନାରୀ ଓ ନାବାଳିକାଙ୍କୁ ସୁରକ୍ଷା ଦେଇପାରୁ ନଥିବାରୁ ତାଙ୍କୁ ଶାସନ ଦାୟୀତ୍ୱରେ ରହିବାର କୌଣସି ଅଧିକାର ନାହିଁ । ତିର୍ତ୍ତୋଲ ଉପନିର୍ବାଚନ ବିଜେଡି ଡିତିବା ନେଇ ଶାସକ ଦଳ ନେତା ଡିଣ୍ଡିମ ପିଟୁଥିବାବେଳେ ସେହି ଅଞ୍ଚଳର ଏକ ନାବାଳିକା ସହ ଦୁଷ୍କର୍ମ ଘଟଣାରେ ଏବେ ସେମାନେ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟସରକାର ମହିଳାଙ୍କ ସୁରକ୍ଷାରେ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିବାକୁ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ଓ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।