ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ପୁରୀ,ଏନ୍ଏନ୍ଏସ୍: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି । ରବିବାର ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କ ଆଗରେ ଦାବି ରଖିଛି ବିଜେପି । ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏନେଇ ରବିବାର ରାମ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଏଥିରେ ସମ୍ପୃକ୍ତି ନେଇ ବିଜେପି ଅଭିଯୋଗ କରିଛି । ସେପଟେ ପୁରୀ ଜିଲ୍ଲା ଗୋପ ବ୍ଲକ ବିଜେପି ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି କୁଶପୁତ୍ତଳିକା ଦାହ କରିଛି ।

ପୁରୀ ଜିଲ୍ଲା ଗୋପ ବ୍ଲକର ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଶନିବାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ଏହା ପଛରେ ପରୋକ୍ଷ ବା ପ୍ରତ୍ୟକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କର ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ମୃତ୍ୟୁ ପୂର୍ବରୁ ତାଙ୍କର ଦୁଇଟି ଫୋନରେ ଅନେକ ଗୁମର ଥିବା ସେ ଫେସବୁକରେ ଭିଡିଓ ମାଧ୍ୟମରେ କହିଥିଲେ । କୌଣସି ରାଜନୈତିକ ବିବାଦରୁ ତାଙ୍କ ଘରେ ଝଡ଼ ସୃଷ୍ଟି ହୋଇଥିବା ମଧ୍ୟ କହିଥିଲେ ।

ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରବିବାର ଘଟଣାର ନିରପେକ୍ଷ ତଦନ୍ତ ସହ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ନେଇ ଖୁଲାସା କରିବା ପାଇଁ ଡିସିପିଙ୍କ ଆଗରେ ଦାବି ରଖିଛି କଂଗ୍ରେସ । ଏଥିରେ ଯିଏ ସମ୍ପୃକ୍ତ ଥିବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଧର୍ମେନ୍ଦ୍ରଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମଧ୍ୟ ଦାବି କରିଛି କଂଗ୍ରେସ ।