ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ କର୍ଣ୍ଣାଟକ ଗସ୍ତ, ଦଶହରା ମହୋତ୍ସବର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ (ସୋମବାର) ୩ ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ । ମହୀଶୂରରେ ଅନୁଷ୍ଠିତ ହେବାକୁ ଥିବା ଦଶହରା ମହୋତ୍ସବର ଉଦଘାଟନ କରିବେ ରାଷ୍ଟ୍ରପତି । ୨୮ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି କର୍ଣ୍ଣାଟକରେ ରହିବା ନେଇ ସୂଚନା ମିଳିଛି । ରାଷ୍ଟ୍ରପତି ଭାବେ ଦେଶର ଭାର ସମ୍ଭାଳିବା ପରେ ଏହା ତାଙ୍କ ପ୍ରଥମ କର୍ଣ୍ଣାଟର ଗସ୍ତ ।

ମହୀଶୂରରେ ଦଶହରା ମହୋତ୍ସବର ଶୁଭାରମ୍ଭ କରିବା ପରେ ପରେ ଡୁବଲି-ଧାରବାଡ ନଗର ନିଗମ ଦ୍ବାରା ଆୟୋଜିତ ‘ପଉରା ସନମାନା’ ସମ୍ମାନ ସମୋରୋହରେ ସାମିଲ ହେବେ ରାଷ୍ଟ୍ରପତି । ଧାରବାଡରେ ଭାରତୀୟ ସୂଚନା ପ୍ରାଧିକରଣ ସଂସ୍ଥାନ (ଆଇଆଇଆଇଟି)ର ଉଦଘାନ କରିବା ସହ ଆଜି ବେଙ୍ଗାଲୁରୁ ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ କ୍ରିଏଜେନିକ୍ ଇଞ୍ଜିନ୍ ଉତ୍ପାଦନ ୟୁନିଟର ଉଦଘାଟନ କରିବେ । ଏହା ସହିତ କ୍ଷେତ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥାନର ଭର୍ଚୁଆଲ ଜରିଆରେ ଉଦଘାଟନ କରିବେ । ଜୋସ ବିଶ୍ବ ବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ବେଙ୍ଗାଲୁରୁରେ ତାଙ୍କୁ ସମ୍ମାନ ଜଣାଇବା କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଆୟୋଜିତ ଅଭିନନ୍ଦନ ସମାରୋହରେ ସାମିଲ ହେବେ । ୨୮ ତାରିଖରେ ନୂଆଦିଲ୍ଲୀ ଫେରିବେ ରାଷ୍ଟ୍ରପତି ।

କର୍ଣ୍ଣାଟକର ମହୀଶୂର ସହରରେ ଅନୁଷ୍ଠିତ ହଶହରା ପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୨ ବର୍ଷ କୋରୋନା ପାଇଁ ଉତ୍ସବ ବନ୍ଦ ଥିଲା ମାତ୍ର ଚଳିତ ବର୍ଷ ଏହା ପୁଣି ଆୟୋଜିତ ହେବାକୁ ଯାଉଛି । ଏହା ଏକ ୧୦ ଦିନିଆ ପର୍ବ ଯାହା ବିଜୟାଦଶମୀ ଦିନ ଶେଷ ହେବ । ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଉତ୍ସବରେ ହାତୀଙ୍କର ଏକ ଶୋଭାଯାତ୍ରା ବାହାରିଥାଏ । ଅପରାହ୍ନରୁ ଏହି ଜମ୍ବୁଶ୍ବରୀଙ୍କ ଶୋଭାଯାତ୍ରା ଆରମ୍ଭ ହେବ । ୬ କିଲୋମିଟର ଶୋଭାଯାତ୍ରା ହେବ । ଅକ୍ଟୋବର ୫ରେ ଏହି ମହୋତ୍ସବ ଶେଷ ହେବ । ୮ଟି ସ୍ଥାନରେ ମୋଟ ୨୯୦ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ଯାଇଥିଲେ । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।