ଭକ୍ତଙ୍କର ଭାବନାକୁ କୁଠାରଘାତ କରୁଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟବାସୀଙ୍କର ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ବନ୍ଦ ହୋଇ ପଡ଼ିଛି। ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହା ସତ୍ତେ୍ୱ ବି ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ। ରାଜ୍ୟ ସରକାର ଭଗବାନଙ୍କ ଠାରୁ ଭକ୍ତକୁ ଦୂରେଇ ରଖି କୋଟି କୋଟି ଭକ୍ତଙ୍କର ଆସ୍ଥା ଏବଂ ଭାବନାକୁ କୁଠାରଘାତ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କରୋନା ମହାମାରୀ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ-୧ ଗାଇଡଲାଇନ ଅନୁଯାୟୀ ଜୁନ୍ ୮ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଏଯାବତ୍ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଛୋଟ ବଡ଼ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଦେଶରେ ଅନ୍ୟ ରାଜ୍ୟଗୁଡ଼ିକରେ ମନ୍ଦିର ଏବଂ ଧର୍ମାନୁଷ୍ଠାନଗୁଡ଼ିକରେ ପରିଚାଳନା ପ୍ରକ୍ରିୟା (ଏସଓପି)ପାଳନ କରାଯାଇ ଖୋଲା ହୋଇଛି। ଗତ କିଛି ଦିନ ତଳେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲାଯାଇଥିବା ବେଳେ ତିରୁପତି ଠାରେ ପ୍ରଭୁ ବାଲାଜୀଙ୍କ ମନ୍ଦିର ଏସ୍ଓପି ପାଳନ କରି ଖୋଲାଯାଇଥିବାରୁ ଭକ୍ତମାନେ ସୁରୁଖୁରୁରେ ଭଗବାନଙ୍କୁ ଦର୍ଶନ କରିପାରୁଛନ୍ତି। ଯଦି ଅନ୍ୟ ରାଜ୍ୟଗୁଡ଼ିକରେ ମନ୍ଦିର ଖୋଲାଯାଇ ପାରୁଛି ତେବେ ଓଡ଼ିଶାରେ ଅସୁବିଧା କେଉଁଠି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଆ ଲୋକଙ୍କୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଠାରୁ ଦୂରେଇ ରଖିବାର ଉଦ୍ଦେଶ୍ୟ କ’ଣ ରାଜ୍ୟ ସରକାର ଏହାର ଉତ୍ତର ଦିଅନ୍ତୁ। ଲୋକଙ୍କ ଆସ୍ଥା ସହ ଖେଳିବା ପାଇଁ କୌଣସି ସରକାରଙ୍କ ଅଧିକାର ନାହିଁ। ସେହିପରି ମନ୍ଦିରରେ ପୂଜା କରୁଥିବା ବ୍ରାହ୍ମଣ ଏବଂ ପୂଜକମାନେ ଏବେ ଅଭାବ ଅନଟନରେ ଅଛନ୍ତି। ମନ୍ଦିର ଖୋଲାଯାଉ ନଥିବାରୁ ତାଙ୍କ ପରିବାର ଚଳେଇବା ଏବେ କାଠିକର ପାଠ ହୋଇଛି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ କୋଭିଡ୍-୧୯ ନିୟମ ଅନୁଯାୟୀ ଏସ୍ଓପି ପାଳନ କରି ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲନ୍ତୁ। ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ମନ୍ଦିର ଖୋଲିବା ନେଇ ଏକ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।