ଗ୍ରାମାଞ୍ଚଳର ସବୁ ଘରେ ପହଞ୍ଚିବ ପାଇପ୍ ପାଣି-ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍

ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବର୍ଷବର୍ଷ ଧରି ଜଳର ଅଭାବ ଏବଂ ପିଇବା ପାଇଁ ବିଶୁଦ୍ଧ ପାଣି ଓ ଜଳସେଚନ ଓଡ଼ିଶା ପାଇଁ ବଡ ଆହ୍ୱାନ ସଦୃଶ ହୋଇଛି। ମୋଦୀ ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ଜଳ ଜୀବନ ମିଶନ’ ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି ଯେ ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ଇନଫର୍ମେସନ୍ ସିଷ୍ଟମ (ଆଇଏମ୍ଆଇଏସ୍) ଅନୁସାରେ ପାନୀୟଜଳ ଓ ପରିମଳ ବିଭାଗର ତଥ୍ୟାନୁଯାୟୀ ୨୦୧୯ ଡିସେମ୍ବର ୩୦ ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳର ୮୧.୨୫ ଲକ୍ଷ ଘରୁ ମାତ୍ର ୪ ପ୍ରତିଶତରୁ କମ୍ ପରିବାର ପାଇପ୍ ଯୋଗେ ଜଳର ସୁବିଧା ପାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଗ୍ରାମାଞ୍ଚଳର ସମସ୍ତ ଘରକୁ ପାଇପରେ ପାଣି ପହଞ୍ଚାଇବା ପାଇଁ କାମ କରୁଛନ୍ତି। ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଜ୍ୟରେ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ପ୍ରୋତ୍ସାହନ ଯୋଗାଉଛନ୍ତି। ୨୦୨୦-୨୧ ଆର୍ôଥକ ବର୍ଷ ‘ଜଳ ଜୀବନ ମିଶନ’ ଅଧୀନରେ ଓଡ଼ିଶାକୁ ୮୧୨ କୋଟି ଅନୁଦାନ ମିଳିଛି। ପୂର୍ବ ବର୍ଷ ଏହି ଯୋଜନାରେ ରାଜ୍ୟକୁ ୨୯୭ କୋଟି ଟଙ୍କା ମିଳିଥିଲା ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଆଜି ବିଶୁଦ୍ଧ ପାନୀୟଜଳ ଲୋକଙ୍କ ଦୈନନ୍ଦିନ ଜୀବନର ଆଧାର ହୋଇଛି। ପାନୀୟଜଳ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ ଜୀବନ ମିଶନ’ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ନୂଆ ଭାରତର କଳ୍ପନାକୁ ସାକାର କରିବା ପାଇଁ ଆଗ୍ରହ ସହକାରେ କାର୍ଯ୍ୟ କରୁଛନ୍ତି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ନେଇ ମୋଦୀ ସରକାର କାମ କରୁଛନ୍ତି। ଦେଶର ନାଗରିକଙ୍କୁ ସଶକ୍ତ କରିବା, ଜୀବନଶୈଳୀକୁ ସୁଗମ କରିବା ସହ ତୃଣମୂଳସ୍ତରରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପ୍ରଧାନମନ୍ତ୍ରୀଙ୍କ ଶାସନର ପ୍ରାଥମିକତାରେ ରହିଛି। ପ୍ରଧାନମନ୍ତ୍ରୀ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର କଟିବଦ୍ଧ ଥିବା ଐତିହାସିକ ଲାଲକିଲ୍ଲାରୁ କହିଛନ୍ତି। ଆମେ ଦୈନିକ ୧ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ପହଞ୍ଚାଇବାରେ ସଫଳ ହୋଇଛୁ। ସମସ୍ତ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦାକୁ ବଢ଼ାଇବ, ରୋଜଗାର ସୃଷ୍ଟି କରିବ ଏବଂ ମେକ୍ ଇନ୍ ଇଣ୍ଡିଆକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣ କଳ୍ପନାରେ ବଡ଼ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।