ଆଗ୍ରାରେ ବସ୍ ଅପହରଣ କରିନେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀ!

ଆଗ୍ରା,ଏଜେନ୍ସି: ବୁଧବାର ସକାଳେ ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ନିୟୁ ସଦର୍ଣ୍ଣ ବାଇପାସରୁ ଏକ ଫାଇନାନ୍ସ କମ୍ପାନୀର କେତେକ କର୍ମଚାରୀ ଗୋଟାଏ ଯାତ୍ରୀବାହୀ ବସକୁ ଅପହରଣ କରି ନେଇଛନ୍ତି। ଡ୍ରାଇଭର ଓ ହେଲପରଙ୍କୁ ବଳପୂର୍ବକ ବସରୁ ଓହ୍ଲାଇ ଦେଇ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ବସଟିକୁ ଅପହରଣ କରିନେଇଛନ୍ତି। ଅପହରଣ ସମୟରେ ବସରେ ୩୪ ଜଣ ଯାତ୍ରୀ ଥିବା କଥା କୁହାଯାଉଛି। ବସଟି ଗୁରୁଗ୍ରାମରୁ ମଧ୍ୟପ୍ରଦେଶର ଗୋଆଲିୟର ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଗ୍ରାରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ତାହାକୁ ଜବତ କରିଥିଲେ। ଏକ ବିବୃତ୍ତିରେ ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ, ଫାଇନାନ୍ସ କମ୍ପାନୀ ବେଆଇନ ଭାବେ ବସ୍ଟିକୁ ଜବତ କରିଛି। ବସ୍ କର୍ମଚାରୀ ଓ ଯାତ୍ରୀମାନେ ନିରାପଦ ଅଛନ୍ତି। ଗତକାଲି ବସ୍ ମାଲିକଙ୍କର ଦେହାନ୍ତ ହୋଇଯାଇଛି ଏବଂ ବୁଧବାର ତାଙ୍କ ପୁଅ ଶେଷକୃତ୍ୟ କରୁଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆଗ୍ରା ଏସ୍ଏସ୍ପି ବାବୁଲ କୁମାର କହିଛନ୍ତି ଯେ, ଅପହରଣକାରୀମାନେ ହେଉଛନ୍ତି ଶ୍ରୀରାମ ଫାଇନାନ୍ସ କମ୍ପାନୀର ଲୋକ।