ଏନଏସି ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

କୋରୁକୋଣ୍ଡା, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ନଗର ବିଜେପି ପକ୍ଷରୁ ମଙ୍ଗଳବାର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବାଲିମେଳା ଏନଏସିରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଗୁଡିକରେ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଛି। ତେଣୁ ୯ଟି ଦାବି କରିଛି ବିଜେପି। ଉକ୍ତ ଦାବି ଗୁଡିକ ହେଲା, ବାଲିମେଳା ମିନି ଷ୍ଟାଡିୟମ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏଯାଏଁ ତାହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ ତେଣୁ ଏହାର ନବୀକରଣ କରାଯାଉ, ସେହିପରି ପାର୍କ ରେ ଲକ୍ଷାଧିକ ଟଙ୍କା ଉନ୍ନତି ନାମ ରେ କିଛି ଏନଏସି ର କର୍ମଚାରୀ ଟଙ୍କା ଚଳୁ କରିଛନ୍ତି ତେଣୁ ତୁରନ୍ତ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ, ବାଲିମେଳା ନଗରରେ ଥିବା ସବୁ ମଶାଣି ଗୁଡିକରେ ଅଲୋକୀକରଣ ବ୍ୟବସ୍ଥା କରାଯାଉ, ସ୍ୱଚ୍ଛ ଭାରତର ସଫେଇ କାର୍ଯ୍ୟ ର ନିୟୋଜିତ ଥିବା ଚାରିଚକିଆ ଯାନ ପ୍ରତ୍ୟେକ ୱାର୍ଡ କୁ ଯାଉ, ଖରାଦିନେ ଜଳ ଯୋଗାଣ କହି ଏନଏସି ପ୍ରତିବର୍ଷ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛି ତେଣୁ ବାଲିମେଳା ନଗରର ପ୍ରତ୍ୟେକ ଛକରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରାଯାଉ, ବାଲିମେଳା ନଗର ର ପ୍ରତ୍ୟେକ ୱାର୍ଡରେ ସଫେଇ କାର୍ଯ୍ୟ ଏବଂ ପ୍ରତ୍ୟେକ ଦିନ ସବୁ ୱାର୍ଡର ନାଳ ଗୁଡିକ ସଫା କରି ସେଥିରେ ବ୍ଲିଚିଂ ପାଉଡର ବ୍ୟବହାର କରାଯାଉ, ପୁନର୍ବାର ଭୂମି ପଞ୍ଜିକରଣ ପ୍ରମାଣପତ୍ର ର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସର୍ବେକ୍ଷଣ କରିବା ଆବଶ୍ୟକ, ବାଲିମେଳା ନଗର ର ୧୨ ଟି ୱାର୍ଡ ମଧ୍ୟରେ ଯେଉଁ ହିତାଧିକାରୀ ମାନେ ପଟ୍ଟା ବାବଦରେ ପଇସା ଜମା କରିଛନ୍ତି ସେମାନଙ୍କ ଠାରୁ ଉଚିତ ମୂଲ୍ୟ ନେଇ ବଳକା ଅର୍ଥ ଫେରସ୍ତ କରାଯାଉ ଏବଂ ବାଲିମେଳା ନଗରର ସମସ୍ତ ୱାର୍ଡରେ ଥିବା ରାସନ କାର୍ଡ ହିତାଧିକାରୀଙ୍କୁ ଭୂମି ପଞ୍ଜିକରଣ ପ୍ରମାଣ ପତ୍ର ସହିତ ସଂଲଗ୍ନ କରାଯାଉ ବୋଲି ଦାବିପତ୍ର ମାଧ୍ୟମରେ ପ୍ରଦାନ କରିଥିଲେ।

ଏହି ଦାବିପତ୍ର ଦେବା ସମୟରେ ବିଜେପି ନଗର ସଭାପତି ଶୁଭାଶିଷ କର, ସମ୍ପାଦକ ସୀମାଞ୍ଚଳ ପ୍ରଧାନ, ପୂର୍ବତନ ସଭାପତି ପ୍ରଦୀପ ନାୟକ ଏବଂ ଜିଲ୍ଲା ଉପଦେଷ୍ଟା ଅରୁଣ ପାତ୍ର ଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ତେବେ ତୁରନ୍ତ ଏହି କାର୍ଯ୍ୟ ଗୁଡିକ ପ୍ରତି କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ସହ ଏନଏସି କାର୍ଯ୍ୟାଳୟ କୁ ଘେରାଉ କରାଯିବ ବୋଲି ବାଲିମେଳା ନଗର ବିଜେପି ପକ୍ଷରୁ ସୂଚନା ମିଳିଛି।