ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ରାଜ୍ୟ ବିଜେପି ପ୍ରଭାରୀ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଡି.ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସ୍ୱାର୍ଗତ କୁଳମଣି ବରାଳଙ୍କ ବାସଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିଲାବେଳେ ମୁଖ୍ୟମନ୍ତ୍ରୀ ଘରେ ନବସି ପଦାକୁ ବାହରିବା ଉଚିତ। ମାହାଙ୍ଗା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ମୁଖା ଖୋଲିଥିବାରୁ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଘଟଣାରେ ଶାସକ ଦଳର ନେତା ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଥିଲେ।

ଏଫଆଇଆରରେ ନାଁ ଥିଲେ ମଧ୍ୟ କ’ଣ ପାଇଁ ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ସଭାପତି କନକବର୍ଦ୍ଧନ ସିଂଦେଓ, ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ, ଦଳର ଉପସଭାପତି ଭୃଗୁବକ୍ସି ପାତ୍ର, ଉପସଭାନେତ୍ରୀ ପ୍ର୍ରଭାତୀ ପରିଡା, ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ, ଯାଜ୍ଞସିନୀ ଜେନା, ପ୍ରଭାତ ମିଶ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।