ନବରଙ୍ଗପୁର,ଏନ୍ଏନ୍ଏସ୍: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୨ ଦିନିଆ ନବରଙ୍ଗପୁର ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡ଼ା ପଞ୍ଚାୟତରେ ମହିଳା ସ୍ୱୟଂ ସହାୟିକା ସମ୍ମିଳନୀରେ ଯୋଗଦେବା ସହ ଦଳର ଆଗଧାଡ଼ିର ନେତା ଓ କର୍ମୀଙ୍କ ସହିତ ସାଂଗଠନିକ ଉପରେ ଆଲୋଚନା କରିଛନ୍ତି । ବିଜେଡିର ପ୍ରତ୍ୟେକ କର୍ମୀ ମୋ ପାଇଁ ଜଣେ ଜଣେ ଭଗବାନ । ଜଣେ କର୍ମୀଙ୍କ ଘରେ ନବରଙ୍ଗପୁରିଆ ପାରମ୍ପରିକ ଖାଦ୍ୟ ଖାଇଥଲି, ଏଭଳି ଭୋଜନ କରିବା ମୋ ପାଇଁ ଗର୍ବର କଥା ବୋଲି ଶ୍ରୀ ଦାସ କହିଛନ୍ତି । ଆଗକୁ ମଧ୍ୟ ଏପରି କାର୍ଯ୍ୟକଳାପ ଜାରୀ ରହିବ ଏବଂ ଆବଶ୍ୟକ ପଡ଼ିଲେ କର୍ମୀଙ୍କ ସହିତ ରାତ୍ରିଯାପନ ମଧ୍ୟ କରିବି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ଗସ୍ତ ସମୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ମାଝୀ ଓ ଜିଲ୍ଲା ପରିଷଦ ସଦସ୍ୟ ଅରୁଣ ମିଶ୍ରଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।