ସୀମା ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିବେ ବିଜେଡି ପ୍ରତିନିଧି

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ସମ୍ବାଇ ପଂଚାୟତର ସୁନାବେଡାରେ ଓଡିଶା-ଆନ୍ଧ୍ର ମଧ୍ୟରେ ଥିବା ସୀମା ବିବାଦର ସମାଧାନ ନିମନ୍ତେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି କହିଛନ୍ତି। ସୋମବାର ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତୁଳସୀ କିର୍ଷାନୀ ପ୍ରମୁଖ ସୁନାବେଡା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ଫେରିଛନ୍ତି।

ସୁନାବେଡାର ୬୦୦ ମିଟର ଦୂରରେ ଥିବା ଆମ୍ବଗଛ ନିକଟରେ ଓଡିଶା-ଆନ୍ଧ୍ର ସୀମା ଚିହ୍ନଟ ନିମନ୍ତେ ଏକ ପଥରରେ ନାମ ଲେଖା ଯାଇଥିଲା। କିନ୍ତୁ ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଗଲା ବେଳକୁ ସେଠାରେ କୌଣସି ପଥର ଦେଖିବାକୁ ପାଇନଥିଲେ। ଆନ୍ଧ୍ର ଅଧିକାରୀମାନେ ରାଜସ୍ୱ ମ୍ୟାପ୍ ଆଣି ସୀମା ନିର୍ଦ୍ଧାରଣରେ ଓଡିଶା ସହ ଆଲୋଚନା କରନ୍ତୁ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ ସୂଚନା ଦେଇଥିଲେ ରାତି ଅଧିଆ ଆନ୍ଧ୍ର ଅନୁପ୍ରବେଶ କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ଓ ଆନ୍ଧ୍ର ଉଦ୍ଦେଶ୍ୟ ମୂଲକ ଭାବେ କାର୍ଯ୍ୟ କରୁଛି ।

ଓଡିଶାର ଇଞ୍ଚେ ଜମିକୁ ଆନ୍ଧ୍ର ନେଇ ପାରିବ ନାହିଁ ବୋଲି ଜିଲ୍ଲା ବିଜେଡି ସଭାପତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆନ୍ଧ୍ରର ନିର୍ବାଚିତ ପ୍ରତିନିଧି ସୀମା ବିବାଦର ସମାଧାନ ନିମନ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଥିଲେ। କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଅର୍ଚ୍ଚନା ଦାସ ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ପଟ୍ଟାଙ୍ଗୀ ଥାନା ଅଧିକାରୀ ବିଜୟ ରାଜ ମାଝୀ, ସୁପରଭାଇଜର ଆରଏନ ଖଟେଇ, ରାଜସ୍ୱ ନିରୀକ୍ଷକ ଶୋଭା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।