ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ଝାରସୁଗୁଡା,ଏନ୍ଏନ୍ଏସ୍: ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ଆଜି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ ଏକ ରାଲି କରାଯାଇ ଝାରସୁଗୁଡ଼ା ଟାଉନ ଥାନା ଅଧିକାରୀଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଷ ପୁତ୍ତଳିକା ଦାହ କରାଯାଇଛି।

ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବିଜେଡ଼ିର ପ୍ରମୁଖ ନେତୃବୃନ୍ଦ ପ୍ରତିହିଂସା ପରାୟଣ ହୋଇ ବିଜେପିର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି। ଏହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଥିବାରୁ ବିଜେଡି ଦଳର ନେତାମାନେ ତାଙ୍କୁ ହତ୍ୟା କରିଛନ୍ତି। ରାଜ୍ୟ ଆଇନରେ ଏହିଭଳି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଦବୀରୁ ବହିଷ୍କାର କରି ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଆଇନ ମନ୍ତ୍ରୀ ଯଦି ଆଇନ ଭାଙ୍ଗିବେ ରାଜ୍ୟରେ ଆଇନ ବ୍ୟବସ୍ଥାକୁ କେହି ଖାତିର କରିବେ ନାହିଁ। ଏହି ଅବସରରେ ବଲବିନ୍ଦର ସିଂ, ପୁରୁଷୋତ୍ତମ ଥିରାନୀ, ନେତାଜୀ ପଟ୍ଟନାୟକ, ସତ୍ୟନାରାୟଣ ବୋହିଦାର, ମନୋଜ କଲେତ, ହେମରଞ୍ଜନ ସିଂ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।