ଜାତୀୟ କମିଟିରେ ୩ ଓଡ଼ିଆ ରହିବା ସ୍ୱାଗତଯୋଗ୍ୟ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଲାଗି ଗଠିତ ଜାତୀୟ କମିଟିରେ ୩ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଏହି ୮୫ଜଣିଆ କମିଟିରେ ରଖାଯାଇଛି। ଏହା ରାଜ୍ୟପାଇଁ ସମ୍ମାନର କଥା ଏବଂ ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି। ପଶ୍ଚିମବଙ୍ଗରୁ ୨୬ଜଣଙ୍କୁ ତାଲିକାରେ ରଖାଯିବା ନେଇ କଂଗ୍ରେସର ଅଭିଯୋଗ ଉପରେ ଶ୍ରୀ ବେହେରା କହିଛନ୍ତି ଯେ ନିର୍ବାଚନ ଏକ ପ୍ରକ୍ରିୟା। ନିର୍ବାଚନକୁ ଦେଖିକି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କିଛି କରୁଛନ୍ତି ଏପରି କହିବା ଭୁଲକଥା। ଏହା ଜମା ସ୍ପୃହଣୀୟ ନୁହେଁ। ପ୍ରଧାନମନ୍ତ୍ରୀ ଭଲ ପଦକ୍ଷେପ ନେଇଛନ୍ତି। ନେତାଜୀଙ୍କ ପାଇଁ ଏହା ନିଶ୍ଚିତଭାବେ ସମ୍ମାନର କଥା। ୩ଜଣ ଓଡ଼ିଆ ଏହି ଉଚ୍ଚସ୍ତରୀୟ ଜାତୀୟ କମିଟିରେ ସ୍ଥାନପାଇବା ମଧ୍ୟ ସବୁ ଓଡ଼ିଆ ଲୋକଙ୍କ ପାଇଁ ସମ୍ମାନର କଥା। ଆମେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ଦରକାର।