ମରଣଯନ୍ତା ପାଲଟିଛି ବିଷମକଟକରୁ କୁଟ୍ରାଗଡ଼ ରାସ୍ତା

ଚନ୍ଦ୍ରପୁର/ବିଷମକଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟ ରାଜପଥରୁ ଆରମ୍ଭ କରି ବିଭିନ୍ନ ସଡ଼କ ପଥରେ ଦୈନିକ ପ୍ରତି ସେକେଣ୍ଡରେ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହେଉଛି । ରାଜ୍ୟ ସରକାର ରାସ୍ତାଘାଟରେ ଦୁର୍ଘଟଣା ନହେବା ପାଇଁ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସ୍ଲୋଗାନ ମାଧ୍ୟମରେ ସଚେତନ କରୁଛନ୍ତି । କିନ୍ତୁ ଏଭଳି ରାସ୍ତା ଜନସାଧାରଣଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରୁ ବଡ଼ଲିମା ଡାକୁଲୁଗୁଡ଼ା କୁଟ୍ରାଗଡ଼ ଦେଇ ଯାଇଥିବା ମୁଖ୍ୟ ସଡ଼କକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ହୋଇଥିବାବେଳେ ଏହି ରାସ୍ତା ଦେଇ ଦୈନିକ ସହସ୍ରାଧିକ ଯାନବାହନ, ମଟରସାଇକେଲ ଓ ସାଇକେଲ ଯାତାୟାତ କରିଥାଏ । ବିଷମକଟକ ଏକ ବ୍ୟବସାୟ ପେଣ୍ଠସ୍ଥଳୀ ସହ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଖ୍ରୀଷ୍ଟିଆନ ହସ୍ପିଟାଲ, ସରକାରୀ ହସ୍ପିଟାଲ ଓ ବିଭିନ୍ନ କାର୍ଯ୍ୟାଳୟ ଥିବା ହେତୁ ଜନସାଧାରଣଙ୍କ ପାଇଁ ଏହି ରାସ୍ତା ହିଁ ସାହା ଭରଷା ହୋଇଥାଏ । ଏହି ରାସ୍ତା ପ୍ରତି ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ନଦେବା ହେଉଛି ଦୁଃଖ ଓ ପରିତାପର ବିଷୟ । ଏହି ରାସ୍ତାରେ ମାତ୍ରାଧିକ ଗାତ ଥିବା ହେତୁ ଅଳ୍ପ ବର୍ଷାରେ ଭରପୁର ପାଣି ଜମାଟ ହୋଇ ରହିଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ରାସ୍ତା କାମ ନ ହେବା ଯୋଗୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ଏହି ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।