ମଣିପୁରରେ ବୀରେନ ସିଂହ ହେଲେ ମୁଖ୍ୟମନ୍ତ୍ରୀ, ଉତ୍ତରାଖଣ୍ଡ-ଗୋଆରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ତର ପଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି । ରବିବାର ସୁନିଶ୍ଚିତ ହୋଇଯାଇଛି ଯେ, ବୀରେନ ସିଂହ ମଣିପୁରରେ ମୁଖ୍ୟମନ୍ତ୍ରୀ ହେବେ । ବିଜେପି ବିଧାୟକ ଦଳର ବୈଠକରେ ବୀରେନଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହୋଇଛି । ପର୍ଯ୍ୟବେକ୍ଷକ ଭାବେ ନିର୍ମଳା ସୀତାରମଣ ବୈଠକ ପରେ ବୀରେନ ସିଂହଙ୍କ ନାମ ଘୋଷଣା କରିଥିଲେ ।

ତେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ରବିବାର ଉତ୍ତରାଖଣ୍ଡର ନେତାମାନଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୈଠକ କରିଛନ୍ତି । ସୋମବାର ଅପରାହ୍ନ ୪ଟାରେ ବିଜେପି ବିଧାୟକ ଦଳର ବୈଠକ ହେବ । ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ମୀନାକ୍ଷୀ ଲେଖି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷିତ କରିବେ ।

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଯୋଗୀ ଆସନ୍ତା ୨୫ ତାରିଖରେ ଶପଥ ଗ୍ରହଣ କରିବେ । ଏଥି ପାଇଁ ଲଖନଉରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସେହିପରି ଗୋଆରେ ପ୍ରମୋଦ ସାୱନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ସୋମବାର ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ସରକାର ଗଢ଼ିବା ନେଇ ଦାବି ଉପସ୍ଥାପନ କରିବ । ବିଜେପି ଗୋଆ ସଭାପତି ସଦାନନ୍ଦ ଶେଟ ତାନାୱଡେ କହିଛନ୍ତି ଯେ, ସୋମବାର ଗୃହରେ ନେତା ଚୟନ ପାଇଁ ବିଜେପି ବିଧାୟକ ଦଳର ବୈଠକ ହେବ । ଏଥିରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ ହେବ ।