ପୋଲ ତଳକୁ ଖସିଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ରାସ୍ତା ସଂପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଖାମଖିଆଲ ନୀତି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଢେଙ୍କାନାଳର ଶକ୍ତି ସୁଗାର ନିକଟସ୍ଥ ଜାତୀୟ ରାଜପଥ ୫୫ରେ ଏକ ନିର୍ମାଣାଧୀନ ପୋଲ କାର୍ଯ୍ୟ ଚାଲୁଥିଲା। ସେଠାରେ କୌଣସି ସଂକେତ ନଥିବାରୁ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗୋଟିଏ ଗାଡି ସହ ଧକ୍କା ହୋଇ ବାଇକ ୩୦ ଫୁଟ ତଳକୁ ଖସିପଡିଛି।

ବାଇକରେ ଯାଉଥିବା ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଜଣଙ୍କ କାମାକ୍ଷାନଗର ସମଟାଙ୍ଗି ଗ୍ରାମର ରଶ୍ମିରଞ୍ଜନ ନାୟକ ଓ ମୃତକ ଜଣଙ୍କ ଉକ୍ତ ଗ୍ରାମର ରାଜୀବ ଲୋଚନ ନାୟକ ବୋଲି ଜଣାପଡିଛି। ତେବେ ଉଭୟେ କମାକ୍ଷାନଗରରୁ କଟକ ଯାଉଥିଲେ। ଟାଉନ ପୁଲିସ ପହଞ୍ଚି ପୋଲ ତଳକୁ ଖସି ପଡିଥିବା ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଥିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।