ହାଥରସରେ ବିଶାକ୍ତ ମଦ ପିଇ ୫ ମୃତ

ହାଥରସ୍,ଏଜେନ୍ସି: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ବିଶାକ୍ତ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହିତ ୬ ଜଣ ଗୁରୁତର ଅବସ୍ଥାରେ ଅଲ୍ଲୀଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଜିଲ୍ଲା ଅଧିକାରୀ ରମେଶ ରଞ୍ଜନ ଓ ଏସପି ବିନୀତ ଜୟସୱାଲ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ କରିଛନ୍ତି।

ସୂଚନା ଅନୁସାରେ ହାଥରସ ଜିଲ୍ଲାର ସିନ୍ଧି ଗ୍ରାମରେ ଗତକାଲି କିଛି ଲୋକ ଗ୍ରାମ ଦେବତୀଙ୍କ ପୂଜାର୍ଚ୍ଚନା କରିଥିଲେ। ସେମାନେ ଠାକୁରଙ୍କ ନିକଟରେ ମଦ ଭୋଗ କରିଥାନ୍ତି। ସେଠାକାର ରାମହରି ନାମକ ଜଣେ ବ୍ୟକ୍ତି ଗ୍ରାମବାସୀଙ୍କୁ ୨୦ କ୍ୱାଟର ଦେଶୀ ମଦ ବିକିଥିଲା। ଠାକୁରଙ୍କ ନିକଟରେ ଭୋଗ କରିବା ପରେ ସେମାନେ ଏହି ମଦ ସେବନ କରିଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଗାଁରେ ମୃତ୍ୟୁ ହୋଇଥିଲା। ପରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୬ ଜଣ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ ରାମହରିକୁ ଅଟକ ରଖି ପଚରାଉଚରା କରୁଛି।