ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ସେବା ଯୋଗାଇଲା ବାଇକ ଆମ୍ବୁଲାନ୍ସ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ପକ୍କା ରାସ୍ତା ନଥିବାରୁ ଅନେକ ସମୟରେ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହା ହେବା ଭଳି ଚିତ୍ର ଦେଖିବାକୁ ମିଳିଥାଏ। ସେଥିପାଇଁ ଏବେ ଏହି ସମସ୍ୟାକୁ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ଯିବା କଷ୍ଟକର ହେବାରୁ ବର୍ତ୍ତମାନ ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଉଛି। ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଅଣ୍ଡାହଲ ଗ୍ରାମକୁ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ପକ୍ଷରୁ ଏକ ବାଇକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ବହୁ ରୋଗୀ ସେବା ପାଇ ପାରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସଂନ୍ଧ୍ୟାରେ ଅଣ୍ଡ୍ରାହଲ ଗ୍ରାମର ଶୁକ୍ରା ବାର୍ତିଙ୍କ ପତ୍ନୀ ବାସନ୍ତୀ ବାତ୍ରି(୨୪) ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ବାଇକ ଆମ୍ବୁଲାନ୍ସକୁ ଜଣାଇଥିଲେ। ବାଇକ ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ପହଂଚି ଗର୍ଭବତୀଙ୍କୁ ମୁଦୁଳିପଡ଼ାସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲ। ପରେ ଗର୍ଭବତୀ ଜଣକ ଜଣେ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ପୁଣି ଉଭୟଙ୍କୁ ବାଇକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଘରେ ଛାଡ଼ି ଦିଆଯାଇଛି। ଏଭଳି ବାଇକ ଆମ୍ବୁଲାନ୍ସ ସେବା ଜିଲ୍ଲାରେ ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି।