ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ପୁରୁଣାପାଣି-ଠାକୁରପାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ସେବକ ଧୀର ଓ ଗୁରୁତରଦ୍ୱୟ ହେଲେ ସାହିଲ ମୁଣ୍ଡା ଓ ବାୟାର ସିଂ ମୁଣ୍ଡା । ମିଳିଥିବା ରିପୋର୍ଟ ମୁତାବକ, ଧୂଟକିପାଲି ଗ୍ରାମରୁ ସେବକ, ସାହିଲ ଓ ବାୟାର ଏକ ବାଇକରେ କୌଣସି କାମରେ ପୁରୁଣାପାଣି ଆସି ରାତିରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଘଟଣାସ୍ଥଳରେ ସେବକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଗୁରୁତର ସାହିଲ ଓ ବାୟାରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ଆଜି ମୃତଦେହକୁ ବ୍ୟବଛେଦ ପାଇଁ ପାଲଲହଡ଼ା ଡାକ୍ତରଖାନାକୁ ପଠାଇ ଥିବାବେଳେ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବାରକୋଟ ଥାନାଧିକାରୀ କନକ ମାଝୀ ପ୍ରକାଶ କରିଛନ୍ତି ।