ନୂଆଦିଲ୍ଲୀ,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଜନାଦେଶ ପାଇ ସରକାର ଗଠନ କରିଛି। ଆଜି ନୀତିଶ କୁମାର ୭ମଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ତାରକିଶୋର ପ୍ରସାଦ ଏବଂ ରେଣୁ ଦେବୀ ଶପଥ ନେଇଛନ୍ତି। ତେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଆସନ୍ତୁ ଜାଣିବା।
କହିବାକୁ ଗଲେ ଏହି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ପାଖାପାଖି ସମାନ। ୬୪ ବର୍ଷୀୟ ବିଜେପି ନେତା ତାରକିଶୋର ପ୍ରସାଦ ନିର୍ବାଚନ ସମୟରେ ଦେଇଥିବା ତଥ୍ୟ ଅନୁସାରେ ଦ୍ୱାଦଶ ପଢିଛନ୍ତି। ତାଙ୍କ ପତ୍ନୀଙ୍କ ନାମ ରେଣୁ ପ୍ରସାଦ। ତାରକିଶୋର ୧୯୭୪ରେ ବିହାର ରାଜ୍ୟର କଟିହାର ଡିଏସ କଲେଜରେ ଇଣ୍ଟିରମିଡିଏଟ ପାସ କରିଛନ୍ତି। ଏହାସହ ସେ ରାଷ୍ଟ୍ରୀୟ ସଂୟସେବକ ସଂଘର ସଦସ୍ୟ ମଧ୍ୟ ରହିଛନ୍ତି। ବିଜେପିରେ ସାମିଲ ହେବା ପୂର୍ବରୁ ସଂଘର ବହୁ ପଦ ସମ୍ଭାଳିଛନ୍ତି। ଏହାକୁ ମିସାଇ ସେ ୪ଥର ବିଧାୟକ ହୋଇଛନ୍ତି। ପ୍ରଥମଥର ପାଇଁ କଟିହାର ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ୧୯୮୦ ବେଳକୁ ରାଜନୀତି ସହ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ।
ଅନ୍ୟପକ୍ଷରେ ରେଣୁ ଦେବୀ ମଧ୍ୟ ୪ର୍ଥଥର ପାଇଁ ବିଧାୟକ ଭାବେ ନିର୍ବାଚତ ହୋଇଛନ୍ତି। ସେ ମଧ୍ୟ ଇଣ୍ଟର ପାସ କରିଛନ୍ତି। ରେଣୁ ଦେବୀ ୧୯୭୭ ମସିହାରେ ମୁଜାଫରପୁରରୁ ଇଣ୍ଟର ପାସ କରିଛନ୍ତି। ୧୯୮୮ରୁ ସେ ରାଜନୈତିକ କାର୍ଯ୍ୟରେ ସାମିଲ ରହିଛନ୍ତି। ୬୨ ବର୍ଷୀୟ ରେଣୁ ଦେବୀଙ୍କ ସ୍ୱାମୀ ଦୁର୍ଗା ପ୍ରସାଦଙ୍କ ଦେହାନ୍ତ ହୋଇସାରିଛି। ତାଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି। ବିହାରରେ ସେ ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ କଳା, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ରହିସାରିଛନ୍ତି।