ପୁଲିସକୁ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ମାଲକାନଗିରି,ଏଜେନ୍ସି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାର ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁସାରେ, ପେଦାପାଲ ଜଙ୍ଗଲରେ ମାଓବାଦୀଙ୍କ ଭଇରାମଗଡ଼ ଅଞ୍ଚଳ କମିଟିର ସଦସ୍ୟ ମାନେ ଏକ କ୍ୟାମ୍ପ କରି ରହିଥିବା ଖବର ମିଳିଥିଲା। ଏହାପରେ ଡିଆରଜି ବାହିନୀର ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ମାଓବାଦୀମାନେ ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ।

କିଛି ସମୟର ଗୁଳି ବିନିମୟ ପରେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁଳି ବିନିମୟ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ତଲାସି ବେଳେ ୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩ଟି ବନ୍ଧୁକ ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ମାନେ ହେଲେ ବିରଜୁ କାକେମ, କରୁ କାକେମ ଓ ଅଜୟ ଓୟାମି।