କେନ୍ଦ୍ରାପଡ଼ା/ପାଟକୁରା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଡକାୟତି ମାମଲାରେ ଜାମିନ ବିହୀନ ଗିରଫ ପରୱାନାର ୩୭ ବର୍ଷ ପରେ ଅଭିଯୁକ୍ତକୁ ଧରିିବାରେ ସକ୍ଷମ ହୋଇଛି ପୁଲିସ। ଏନବିଡବ୍ଲ୍ୟୁ ନେଇ ସ୍ୱତନ୍ତ୍ର ଡ୍ରାଇଭ ବେଳେ ପାଟକୁରା ପୁଲିସ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାଟକୁରା ପୁଲିସର ଏହି ସଫଳତାକୁ ନେଇ ଟ୍ୱିଟ କରି ଡିଜିପି ପ୍ରଶଂସା କରିଛନ୍ତି।
ସୂଚନା ଅନୁସାରେ, ୧୯୮୪ ମସିହାର ଏକ ବହୁ ଚର୍ଚ୍ଚିତ ଡକାୟତି ମାମଲାରେ ପାଟକୁରା ଥାନା ପଳସୁଧା ପଞ୍ଚାୟତ ଅନ୍ତର୍ଗତ ଭଦିଳର ଭରତ ଜେନାଙ୍କ ପୁଅ ଅକ୍ଷୟ କୁମାର ଜେନା( ୫୪) ସଂପୃକ୍ତ ଥିଲେ। ତାଙ୍କ ବିରୋଧରେ କେସ୍ ନଂ-୩୫୦/୧୯୮୪ ଦଫା ୪୫୭ ଓ ୩୯୫ରେ ମାମଲା ରୁଜୁ ହୋଇଥିଲା। ତେବେ ସେ ଦୀର୍ଘ ୩୭ ବର୍ଷଧରି ଫେରାର ରହିଥିଲେ। ପ୍ରତିବର୍ଷ ଜେଏମଏଫସି ଯାଜପୁର ରୋଡରୁ ତାଙ୍କ ବିରୋଧରେ ୱାରେଣ୍ଟ ଆସୁଥିବାବେଳେ ସେ କୌଣସି ପ୍ରକାର ଧରାପଡୁନଥିଲେ। ଏନବିଡବ୍ଲ୍ୟୁ ନେଇ ପାଟକୁରା ପୁଲିସ ସ୍ୱତନ୍ତ୍ର ଡ୍ରାଇଭ କରିଥିଲା। ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରିଥିବା ପୁଲିସ ଟିମରେ ସବ-ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ। ଗତ ୧୧ ତାରିଖରେ ଏହି ପୁଲିସ ଟିମ୍ ଆସାମୀ ଅକ୍ଷୟ କୁମାର ଜେନାଙ୍କ ଘର ଉପରେ ଚଢ଼ଉ କରିଥିଲା।
ସେତେବେଳେ ସେ ନିଜ ଘରେ ନଥାଇ ନିକଟସ୍ଥ ଖରିସଣ ଗ୍ରାମରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏକ ନିରୋଳା ସ୍ଥାନରେ ସେ ନିଶାସେବନ କରୁଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସ ଚଢ଼ଉ ସମୟରେ ତାଙ୍କୁ ପଚରାଉଚରା କରିବା ବେଳେ ନିଜ ପରିଚୟ ପ୍ରକାଶ କରିନଥିଲେ ମଧ୍ୟ ସେ ଭୟଭୀତ ହୋଇପଡ଼ିବାରୁ ପୁଲିସ ତାଙ୍କୁ ସନ୍ଦେହରେ ଧରିଥିଲା। ପରେ ସେ ପରିଚୟ ଦେବାପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ଚଳିତ ମାସର ପହିଲାଠାରୁ ୧୨ ତାରିଖ ମଧ୍ୟରେ ଏନବିଡବ୍ଲ୍ୟୁ ନେଇ ପାଟକୁରା ପୁଲିସର ସ୍ୱତନ୍ତ୍ର ଡ୍ରାଇଭରେ ଏପର୍ଯ୍ୟନ୍ତ ୧୪ ଜଣ ଫେରାର ଆସାମୀ ଗିରଫ ହୋଇଛନ୍ତି। ପୁଲିସର ଏହି ସଫଳତା ପାଇଁ ଟ୍ୱିଟ୍ କରି ଡିଜିପି ପ୍ରଶଂସା କରିଛନ୍ତିି। ତେବେ ଗିରଫ ଅକ୍ଷୟଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି।