ଦେଶରେ ଆଉ ୬ଟି ନୂଆ କରୋନା ଟିକା ଆସିବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ର ହର୍ଷବର୍ଦ୍ଧନ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଖୁବ୍ ଶୀଘ୍ର ଭାରତକୁ ଆଉ ୬ଟି ନୂଆ କରୋନା ଟିକା ଆସିବ। ଦେଶରେ ବର୍ତ୍ତମାନ ୨ଟି କରୋନା ଟିକା ଲୋକଙ୍କୁ ଦିଆଯାଉଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ଦେଶର ୧.୮୪ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଲାଣି।

ସେ କହିଛନ୍ତି କି ଭାରତ ୨ଟି ଟିକା ବିକଶିତ କରିଛି, ଯାହା ୭୧ ଦେଶକୁ ଦିଆଯାଇଛି। ଏପରିକି କାନାଡା, ବ୍ରାଜିଲ ଓ ଅନ୍ୟ ବିକଶିତ ଦେଶଗୁଡ଼ିକ ଭାରତୀୟ ଟିକାକୁ ଉତ୍ସାହର ସହିତ ଗ୍ରହଣ କରିଛନ୍ତି। ସେହିପରି କେତେକ ଦେଶ ଟିକା ଅପେକ୍ଷାରେ ମଧ୍ୟ ରହିଛନ୍ତି। ଏଥିସହିତ କିଛିଦିନ ମଧ୍ୟରେ ଭାରତରେ ୬ ପ୍ରକାର ନୂଆ କରୋନା ଟିକା ଉପଲବ୍ଧ ହେବ। ଜାତୀୟ ସ୍ୱାସ୍ଥ୍ୟ ପରିବେଶ ଅନୁସନ୍ଧାନ ପ୍ରତିଷ୍ଠାନର ନୂତନ ସବୁଜ କ୍ୟାମ୍ପସ ଉଦଘାଟନ ସମୟରେ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି।

ଏଥିସହିତ ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦୀ ଏକ ନୂଆ ଭାରତର ନିର୍ମାଣ କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଭାରତକୁ ‘ବିଶ୍ୱ ଗୁରୁ’ ଭାବେ ଜଣାଯିବ।