ମଣ୍ଡେଇ ମହୋତ୍ସବ ପାଇଁ ଭୂମି ପୂଜନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର କଳା, ସଂସ୍କୃତି,ପରମ୍ପରା ଓ ଭାଇଚାରା ସମ୍ପର୍କର ସାଂସ୍କୃତିକ ମହୋତ୍ସବ ମଣ୍ଡେଇ-୨୦୨୩ ଓ ପଲ୍ଲିଶ୍ରୀ ମେଳା ପାଇଁ ଭୂମି ପୂଜନ ଉତ୍ସବ ନୂତନ ମଣ୍ଡେଇ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଇ ପଡ଼ିଆ, ହର୍ଲିରେ ଅନୁଷ୍ଠିତ ହେବ । ଡିସେମ୍ବର ୧ ତାରିଖରେ ଝରିଗାଁ ବ୍ଲକସ୍ଥିତ ପ୍ରସିଦ୍ଧ ଚନ୍ଦନ ଧାରା ଶୈବ ପୀଠରୁ ମଣ୍ଡେଇ ମହୋତ୍ସବ ଶୁଭାରମ୍ଭ କରାଯିବ । ମଣ୍ଡେଇ ମହୋତ୍ସବରେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ଆଜି ମଣ୍ଡେଇ ପଡ଼ିଆରେ ମଣ୍ଡେଇ ମଞ୍ଚ ପ୍ରସ୍ତୁତି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ସଂସ୍କୃତି ପରିଷଦ ଡା. କମଳ ଲୋଚନ ମିଶ୍ର ଏଥିରେ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଭୂମି ପୂଜନ କରିଥିଲେ । ନବରଙ୍ଗପୁର ସହରର ପ୍ରବିଣ ପୁରୋହିତ ଗୁପ୍ତ ପ୍ରସାଦ ଷଡ଼ଙ୍ଗୀ ମନ୍ତ୍ର ପାଠ କରି ପୂଜାର୍ଚ୍ଚନା କରାଇଥିଲେ । ଜିଲ୍ଲାପାଳ ଡା. ମିଶ୍ର ଜିଲ୍ଲାର ସାଂସ୍କୃତିକ ଗଣ ପର୍ବ ମଣ୍ଡେଇ କିପରି ଶାନ୍ତି ଶୃଙ୍ଖଳାର ସହିତ ମହାସମାରୋହରେ ପାଳନ କରାଯିବ ସେ ଦିଗରେ ସମସ୍ତଙ୍କ ସାହଯ୍ୟ ଓ ଆନ୍ତରିକ ସହଯୋଗ କାମନା କରିଥିଲେ । ଏଥିରେ ମଣ୍ଡେଇ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ମଣ୍ଡେଇ ସ୍ମରଣିକା କମିଟିର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ, ମୁନା ତ୍ରିପାଠୀ, ଅଗ୍ନିପୁର ସରପଞ୍ଚ ଦିବାକର ପୂଝାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।