କେନ୍ଦ୍ରାପଡା,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ଜାନୁଆରୀ ୫ ତାରିଖ ଠାରୁ ୧୪ ତାରିଖ ଯାଏ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡିଛି। ବିରଳ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ପାଇଁ ଦୀର୍ଘ ୧୦ ଦିନ ଲାଗି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଖବରରୁ ପ୍ରକାଶ ଯେ, ପ୍ରତିବର୍ଷ ଜାତୀୟ ଉଦ୍ୟାନ ପରିସରଭୁକ୍ତ ବିଭିନ୍ନ ନଦୀନାଳରେ ଥିବା ବଉଳା କୁମ୍ଭୀରମାନେ ଡିସେମ୍ବର ଶେଷ ସପ୍ତାହ ବେଳକୁ ଉପରକୁ ଉଠିଆସନ୍ତି। ଏହି ସମୟରେ ସେମାନଙ୍କୁ ଗଣନା କରିବାରେ ସହଜ ହୋଇଥାଏ। ତେବେ ପର୍ଯ୍ୟଟକମାନଙ୍କ ସମାଗମ ହେଲେ ଗଣନା ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ବନବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ଭିତରକନିକାର ବନ୍ୟଜୀବ ଅଭୟାରଣ୍ୟ, ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳ ଓ ଜଙ୍ଗଲ ଅଞ୍ଚଳ ମଧ୍ୟ ବନ୍ଦ ରହିବ। ଭିତରକନିକା ସହିତ ଡାଙ୍ଗମାଳ ଓ ରଗଡାପାଟିଆ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଗତ ଜାନୁୟାରୀ ୩ରେ ଶେଷ ହୋଇଥିବା କୁମ୍ଭୀର ଗଣନା ରିପୋର୍ଟ ଅନୁସାରେ ଭିତର କନିକାରେ ମୋଟ ୧୭୫୭ଟି କୁମ୍ଭୀର ଅଛନ୍ତି। ସେମାନଙ୍କ ମଧ୍ୟରେ ୪ଟି ୨୦ ଫୁଟରୁ ଅଧିକ ବିଶାଳାକାୟ ବଉଳା କୁମ୍ଭୀର ରହିଛନ୍ତି।