ନୂଆଦିଲ୍ଲୀ: ହାଥରସ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଘର ବାହାରେ ଓ ଭିତରେ ୮ଟି ସିସିଟିଭି କ୍ୟାମେରା ସହ ମେଟାଲ ଡିଟେକ୍ଟର ଲଗାଯାଇଛି। ପୀଡ଼ିତାଙ୍କ ଘର ପାଖରେ ଏକ ଦମକଳ ଗାଡ଼ି ଓ ଗୁଇନ୍ଦା ବିଭାଗର କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏଥିସହିତ ଘରପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଛାଉଣିରେ ରଖାଯାଇଛି।
ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପରିବାରର ସୁରକ୍ଷାକୁ ଗୁରୁତ୍ୱ ଦେଇ ଲଖନଉରୁ ନୋଡାଲ ଅଧିକାରୀ ପ୍ରସ୍ତୁତ କରାଯାଇ ହାଥରସ ପଠାଯାଇଥିବା ପୁଲିସ ଉପ ମହାନିର୍ଦ୍ଦେଶକ ସଲଭ ମାଥୁର କହିଛନ୍ତି ଯେ, ପୀଡ଼ିତ ପରିବାରର ଘର ବାହାରେ ୧୨-୧୨ ଘଣ୍ଟା ସିଫ୍ଟରେ ପାଖାପାଖି ୬୦ ଜଣ ଯବାନ ମୁତୟନ ହୋଇଛନ୍ତି। ଏହି ପୁଲିସକର୍ମୀଙ୍କ ପାଇଁ ଖାଦ୍ୟ, ପାଣି, ଚୌକି ଓ ପଂଖାର ବ୍ୟବସ୍ଥା କରାଯାଇଛି। ପୀଡ଼ିତ ପରିବାରର ଘର ଉପରେ ୨୪ ଘଣ୍ଟା ନଜର ରଖାଯିବା ସହ ଖୁବଶୀଘ୍ର ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ଗଠନ କରାଯିବ।