ବଙ୍ଗୋପସାଗରରେ ଘନୀଭୂତ ହେଉଛି ଆଉ ଏକ ଲଘୁଚାପ: ରାଜ୍ୟର ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଏକ ଲଘୁଚାପ କାରଣରୁ ଆସନ୍ତା କାଲିଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ରାଜ୍ୟର ୬ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀକୁ ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଜି ମଧ୍ୟାହ୍ନରେ ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ମହାସାଗର ସହିତ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେଇଛି। ତେବେ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ କରିବ। ସେଠାରୁ ଉତ୍ତର ପଶ୍ଚିମ ଆଡକୁ ଗତିକରିବ ବୋଲି ଜଣାପଡ଼ିଛି। ଅକ୍ଟୋବର ୧୨ରେ ଏହା ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବ।

ଏହି କାରଣରୁ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ସେହିପରି ଅକ୍ଟୋବର ୧୩ରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଗଜପତି, ଗଞ୍ଜାମ, ରାୟଗଡ଼ା ଓ ପୁରୀ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଅକ୍ଟୋବର ୧୨ରେ ମାଲକାନଗିରି, କୋରାପୁଟ, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ନୟାଗଡ଼ରେ ପ୍ରବଳ ବର୍ଷା ହେବ।

ଅକ୍ଟୋବର ୧୩ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବ। ତେଣୁ ଅକ୍ଟୋବର ୧୧ରୁ ୧୩ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହିତ ଉପରୋକ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ହାଇଆଲର୍ଟ ଜାରି କରାଯାଇଛି।