ମାଲକାନଗିରିରେ ଭାରତ ବନ୍ଦ ଡାକରା ସଫଳ

ମାଲକାନଗିରି,ଏନ୍ଏନ୍ଏସ୍: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ଓ ଚାଷୀ ସଂଗଠନ ଦେଇଥିବା ଭାରତ ବନ୍ଦ ଡାକରା ମାଲକାନଗିରି ଜିଲ୍ଲାରେ ସଫଳ ହୋଇଛି। ଜିଲ୍ଲା ସଦର ମହକୁମାସ୍ଥିତ ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତାରେ ଚାଷୀ ସଂଗଠନ, କିଷାନ ମଜଦୂର ସଂଘ, କଂଗ୍ରେସ, ବିଏସପି, ସିପିଆଇ(ଏମ) ସମେତ ବହୁ ଦଳର ନେତା ରାସ୍ତା ଅବରୋଧ କରିଛନ୍ତି। ଜିଲ୍ଲା ସଦର ମହକୁମାର ଜାତୀୟ ରାଜପଥ ୩୨୬ ର ସୁବାଷ ବୋଷ ଛକ, ବସଷ୍ଟାଣ୍ଡ, ଆଇଏମଏସଟି ସ୍କୁଲ, ବାଲିମେଳା ଛକ, ଡି.ଏନକେ ଛକରେ ରାସ୍ତା ଅବରୋଧ ହୋଇଛି। ଏହା ବ୍ୟତୀତ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଦଳର ନେତା ଓ କର୍ମିଙ୍କ ସହ ଚାଷୀମାନେ ରାସ୍ତା ଅବରୋଧ କରିଥିବା ଦେଖାଯାଇଛି।

ଏହି ଆଇନ ଯୋଗୁଁ ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ତେଣୁ ଏହାକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର ଦାବି କରିଛନ୍ତି। କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର ନ କଲେ ଆନ୍ଦୋଳନ ଚାଲୁ ରହିବ ବୋଲି ସିପିଆଇ(ଏମ)ର ଜିଲ୍ଲା ଆବାହକ ବ୍ରଜ ମାଝୀ ଚେତାବନୀ ଦେଇଛନ୍ତି। ଏଥିରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ପି.କେଶୁ ରାଓ, ବରିଷ୍ଟ ନେତା ଜି.ଶ୍ରୀନିବାସ ରାଓ, ପୂର୍ବତନ ସରପଞ୍ଚ ଇର୍ମା ପଡ଼ିଆମି, ପର୍ଶୁରାମ ଭକ୍ତ, ପେଣ୍ଡ୍ରା ପ୍ରସାଦ ପଣ୍ଡା, ବି.ଏସ.ପିର ଜିଲ୍ଲା ସଭାପତି ଜରା ଶବର ମାଡ଼ି, ଉପ ସଭାପତି ସନାତନ କବାସୀ, ମାଲକାନଗିରି ବ୍ଲକ ସଭାପତି ଉଙ୍ଗା ପଡ଼ିଆମି, କିଷାନ ମଜଦୂର ମହାସଂଘ ସଭାପତି ସନୁ ଅନଗୁଙ୍କ ସମେତ ବହୁ ନେତା ଓ ଚାଷୀ ଅଂଶଗ୍ରହଣ କରିଥିଲେ।