ସ୍କୁଲ ବନ୍ଦ ପ୍ରତିବାଦରେ ବିଇଓଙ୍କ କାର୍ଯ୍ୟାଳୟ ଘେରାଓ

ଭଟଲି,ଏନ୍ଏନ୍ଏସ୍: ରାଜ୍ୟ ସରକାର ଭଟଲି ବ୍ଲକରେ ୧୪ ଟି ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଥିବା ବେଳେ ଏହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ଭଟଲି ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଭଟଲି ବ୍ଲକର ୧୪ ଟି ସ୍କୁଲ ବନ୍ଦ ହେବ ବୋଲି ସୂଚନା ମିଳିଛି। ତେବେ ଭଟଲି ବ୍ଲକର ବିଭିନ୍ନ ଅଞ୍ଚଳକୁ ଅନୁଧ୍ୟାନ କଲେ ବହୁ ଗ୍ରାମ ନିକଟରେ ନଦୀ ନାଳ ତଥା ଜଙ୍ଗଲ ଥିବାରୁ ଛାତ୍ରଛାତ୍ରୀମାନେ ଦୂରଦୁରାନ୍ତକୁ ପାଠ ପଢ଼ି ଯିବାରେ ସମସ୍ୟାର ସମ୍ମୁଖୀନ ହେବେ। ଯାହାକୁ ନେଇ ଭଟଲି ବ୍ଲକରେ ସ୍କୁଲକୁ ନେଇ ପୁର୍ନବିଚାର କରିବାକୁ ଦାବି ହୋଇଛି । ଏହି କ୍ରମରେ ଶୁକ୍ରବାର ଆମ ଆଦମୀ ପାର୍ଟୀ ତରଫରୁ ଅଭିଭାବକମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା ।

ଦାବିପତ୍ରର କପି ଭଟଲି ବିଧାୟକ, ବରଗଡ଼ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ସୁଜାତା ଭୋଇ, ଧନମତି ରଣା, କଳ୍ପନା ମେହେରଙ୍କ ସମେତ ବହୁ ଅଭିଭାବକଙ୍କ ଦସ୍ତଖତ ସମ୍ମିଳିତ ଏକ ଦାବି ପତ୍ର ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏ ଅବସରରେ ଆମ ଆଦମୀ ପାର୍ଟୀର ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ , ଅମିତାଭ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।