ଭଡ଼ାଘରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଟାଉନ ଥାନା ତୋରା ଗ୍ରାମର ଏକ ଭଡାଘରୁ ଜନୈକା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୁଲିସ। ମହିଳା ଜଣକ ବଲାଙ୍ଗିର ଜିଲ୍ଲା ଲରମାମୁଣ୍ଡା ଗ୍ରାମର ଜ୍ୟୋସ୍ନା ମରାଇ (୨୬) ବୋଲି ଜଣାପଡିଥିବାବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ରକାଶ ଯେ, ଜ୍ୟୋସ୍ନା ତାଙ୍କ ସ୍ୱାମୀ ବଲିଷ୍ଠ ରଣାଙ୍କ ସହ ତୋରା ଗ୍ରାମର ଯୋଗେଶ୍ୱର ସାହୁଙ୍କ ଘରେ ଭଡ଼ାରେ ରହୁଥିଲେ। ଶୁକ୍ରବାର ସକାଳେ ବଲିଷ୍ଠ ଭଡାଘରେ ପହଞ୍ଚି ଜ୍ୟୋସ୍ନାଙ୍କ କ୍ଷତବିକ୍ଷତ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟଯେ, ବଲିଷ୍ଠ ପୂର୍ବରୁ ବିବାହିତା ଥିବା ସହ ତାଙ୍କର ତିନୋଟି ସନ୍ତାନ ଅଛନ୍ତି।

ଅପରପକ୍ଷେ ଜ୍ୟୋସ୍ନା ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ସହ ଉଭୟେ ଆଠବର୍ଷ ହେବ ସ୍ୱାମୀ ସ୍ତ୍ରୀ ଭାବରେ ଏକାଠି ରହୁଥିଲେ। ବରଗଡ଼ ତଥା ଆଖପାଖ ଅଞ୍ଚଳରେ ପନିପରିବା ବିକ୍ରୀ କରିବାସହ ଦୁଇବର୍ଷ ହେବ ତୋରା ଗ୍ରାମର ଉକ୍ତ ଭଡାଘରେ ରହୁଥିବା ଜଣାପଡିଛି । ତେବେ ସେମାନଙ୍କ ପାଖ ଘରେ ୪ ଜଣ ବଙ୍ଗାଳି ଫେରିବାଲା ରହୁଥିବା ଜଣାପଡିଛି । ଏସଡିପିଓ ଦୀପକ କୁମାର ଗୋଚ୍ଛାୟତ, ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାହାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।