ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି: ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର

ଝାରସୁଗୁଡା,ଏନ୍ଏନ୍ଏସ୍: ବେଲପାହାଡସ୍ଥିତ ସରକାରୀ ଡାକ୍ତରଖାନାର ଉନ୍ନତିକରଣ ଓ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ବେଲପାହାଡ ଟାଉନ୍ କଂଗ୍ରେସ ପକ୍ଷରୁଙ୍କ ନିକଟରେ  ଦାବି କରାଯାଇଛି। ଏନେଇ ଆଜି ଟାଉନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର ବେଲପାହାଡସ୍ଥିତ ସରକାରୀ ଡାକ୍ତରଖାନାକୁ ନ୍ୟାସନାଲ ଅର୍ବାନ ହେଲ୍ଥ ମିଶନରେ ସାମିଲ କରିଥିଲେ ହେଁ ବେଲପାହାଡବାସୀ ଏହି ଡାକ୍ତରଖାନରେ କୌଣସି ସୁବିଧା ପାଇ ପାରୁନାହାଁନ୍ତି। କାରଣ ଏଠାରେ ବହୁଦିନ ହେଲାଣି ସ୍ଥାୟୀ ଡାକ୍ତର ଓ ଷ୍ଟାଫ ନାହାଁନ୍ତି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଏହି ଡାକ୍ତରଖାନାଟି ଅବହେଳିତ ରହିବାସହ ଏଠାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଅଞ୍ଚଳର ଜନସାଧାରଣ ବହୁ ସମୟରେ ଉପଯୁକ୍ତ ଚିକିତ୍ସା ସେବା ପାଇ ପାରୁନାହାଁନ୍ତି। ବେଲପାହାଡ଼ ପୌରପରିଷଦ ଓ ଲଖନପୁର ବ୍ଲକ୍ର ଅନେକ ପଞ୍ଚାୟତର ଜନସାଧାରଣ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । ତେଣୁ ବେଲପାହାଡ଼ ପୌରପରିଷଦ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରରେ ରଖି ଏଠାରେ ସ୍ଥାୟୀ ଡାକ୍ତର, କମ୍ପାଉଣ୍ଡର ଓ ଷ୍ଟାଫନର୍ସ ନିଯୁକ୍ତି, ବିଶୁଦ୍ଧ ପାନୀୟଜଳର ସୁବ୍ୟବସ୍ଥା, ଷ୍ଟାଫ୍ କ୍ୱାର୍ଟରର ଉନ୍ନତିକରଣ କରାଯାଉ ବୋଲି ବେଲପାହାଡ ଟାଉନ କଂଗ୍ରେସ ଦାବି କରିଛି। ଏହି ଅବସରରେ ବେଲପାହାଡ ଟାଉନ କଂଗ୍ରେସ ସଭାପତି ଭାଷ୍କର ପଟେଲଙ୍କ ସହ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ।