ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସଂଗଠନରେ ବଡ଼ ପରିବର୍ତ୍ତନ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜଗତ ପ୍ରକାଶ ନଡ୍ଡାଙ୍କ ଟିମରେ ୧୨ ଉପସଭାପତି, ୮ ସାଧାରଣ ସମ୍ପାଦକ ରହିଛନ୍ତି। ରମଣ ସିଂ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ରଘୁବର ଦାସ, ମୁକୁଳ ରାୟ, ରେଖା ବର୍ମା, ବୈଜୟନ୍ତ ପଣ୍ଡା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ୍ ଚୌବା ଏଓ ଓ ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଅନ୍ୟପଟେ ଭୂପେନ୍ଦ୍ର ଯାଦବ, ଅରୁଣ ସିଂ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି.ପୁରନ୍ଦେଶ୍ୱରୀ, ସି.ଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ସେହିପରି ୨୩ ଜଣଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରାଯାଇଥିବାବେଳେ ଏଥିରେ ୨ ଜଣ ଓଡ଼ିଆ ସାମିଲ ଅଛନ୍ତି। ସମ୍ବିତ ପାତ୍ର ରାଷ୍ଟ୍ରୀୟ ପ୍ରବକ୍ତା ପଦ ବଜାୟ ରଖିଥିବାବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆ କରି ପ୍ରବକ୍ତା ଦାୟିତ୍ୱ ଦିଆଯାଇଛି। କର୍ଣ୍ଣାଟକ ସାଂସଦ ତେଜସ୍ୱୀ ସୂର୍ଯ୍ୟା ବିଜେପି ଯୁବମୋର୍ଚ୍ଚା ପଦ ମିଳିଛି। ଅନ୍ୟପଟେ ଲାଲ ସିଂ ଆର୍ଯ୍ୟ ଏଏସି ମୋର୍ଚ୍ଚା, ସମୀର ଓରାଓଁ ଜନଜାତି ମୋର୍ଚ୍ଚା, କେ.ଲକ୍ଷ୍ମଣ ଓବିସି ମୋର୍ଚ୍ଚା, ରାଜକୁମାର ଚାହର କୃଷକ ମୋର୍ଚ୍ଚା ଓ ଜମାଲ ସିଦ୍ଦିକି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।