ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ୮ ଦିନ ହେଲା ବ୍ରଜରାଜନଗର ପୌରାଞ୍ଚଳ ଇବ୍ ପିଟ୍ ଅଞ୍ଚଳରେ ବିଦ୍ୟୁତ ସେବା ଠପ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଥିରେ ଅତିଷ୍ଠ ହୋଇ ଜିଲ୍ଲା ବିଜେପି ନେତୃତ୍ୱରେ ସ୍ଥାନୀୟ ଲୋକେ ଆଜି ଲଜକୁରା ପିଓ ଅଫିସ ଘେରାଉ କରିଥିଲେ। ବ୍ରଜରାଜନଗର ପରି ଖଣି ସମୃଦ୍ଧ ଅଞ୍ଚଳରେ ସାମନ୍ୟ ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ୮ ଦିନ ବିଦ୍ୟୁତ ସେବା ବନ୍ଦ ଥିବା ସେମାନେ କହିଛନ୍ତି। ଅନ୍ୟପଟେ ଯେଉଁ ଅଞ୍ଚଳରେ କୋଇଲା ଖନନ ହୋଇ ସାରା ରାଜ୍ୟ ତଥା ଦେଶର ଲୋକ ଆଲୁୁଅରେ ରହୁଛନ୍ତି ସେ ଅଞ୍ଚଳର ଲୋକଙ୍କୁ ଅନ୍ଧାରରେ ରଖିବା ଅନ୍ୟାୟ। ତେଣୁ ଶୀଘ୍ର ଇବ୍ ପିଟ୍ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଦାନ କରାଯାଉ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ତଥା ସ୍ଥାନୀୟ ଲୋକଙ୍କ ପକ୍ଷରୁ କୁହାଯାଇଥିଲା। ପରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଓରିଏଣ୍ଟ ଅଞ୍ଚଳର ଜିଏମଙ୍କ ସହ କଥାବାର୍ତ୍ତା କରିବା ପରେ ୨ଦିନ ମଧ୍ୟରେ ଏହି ଅଞ୍ଚଳରେ ନୂତନ ଟ୍ରାନ୍ସଫର୍ମର ଲଗାଯାଇ ବିଦ୍ୟୁତ ସେବା ପ୍ରଦାନ କରାଯିବ ବୋଲି କହିଥିଲେ। ଜିଏମ୍ଙ୍କ ପ୍ରତିଶୃତି ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ଏହି ଆନ୍ଦୋଳନରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ଭାରତୀୟ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି କିଷ୍ଣ ମୁରାରୀ ସିଂ, ମଣ୍ଡଳ ସଭାପତି ରକ୍ମଣ ଧୁରୁଆ, ସୁନିଲ କୁମାର ଦାସ, ପ୍ରେମାନନ୍ଦ ସୁହୁରା, ପ୍ରକାଶ ବର୍ମା ଓ ରତନ ଜସୱାଲ ପ୍ରମୁଖଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।