ରାଜ୍ୟ ସରକାରଙ୍କ କରୋନା ସୂଚନା ପତ୍ର ଘୋଷଣା ପୂର୍ବରୁ ଭାଇରାଲ ଘଟଣାରେ ଥାନାରେ ୨ ଅଟକ ଜିଲ୍ଲା By Nitidin On May 25, 2020 Share ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ଘୋଷଣା ପୂର୍ବରୁ ଦେବଗଡ଼ ଜିଲ୍ଲାର ୨୨ ଆକ୍ରାନ୍ତଙ୍କ ନାମ ଘୋଷଣା କରାଯିବା ପୂର୍ବରୁ ସୂଚନା ପତ୍ର ଫେସବୁକରେ ଗତକାଲି ଭାଇରାଲ ହୋଇଥିଲା। ଏହି ଘଟଣାକୁ ଆଧାର କରି ଆଜି ଦେବଗଡ଼ ଥାନା ପୁଲିସ ୨ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଖୋଳତାଡ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ରିଆମାଳ ବ୍ଲକ୍ ଅଞ୍ଚଳର ଜନୈକ ଶମ୍ଭୁଲାଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ନିଜ ଫେସବୁକ ଆକାଉଣ୍ଟରେ ଦେବଗଡ ଜିଲ୍ଲାରେ ୨୨ କରୋନା ପଜିଟିଭ ବାହରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସୂଚନା ପତ୍ରକୁ ସାର୍ବଜନୀନ କରିଥିଲେ। ତେବେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନାମ ଠିକଣାକୁ ଗୁପ୍ତ ରଖିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଥିବା ଯୋଗୁଁ ଗଣମାଧ୍ୟମରେ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଉନାହିଁ। ଏଭଳି କଡା କଟକଣା ମଧ୍ୟରେ ସରକାରୀ ଘୋଷଣା ପୂର୍ବରୁ ସରକାରଙ୍କ ତଥ୍ୟ ବାହାରେ ପ୍ରଘଟ ହେବା କରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗ୍ରାମର ସୁଶାନ୍ତ ବେହେରା ହ୍ୱାଟସଆପ ଯୋଗେ ଉକ୍ତ ତଥ୍ୟ ଶମ୍ଭୁଲାଲଙ୍କୁ ପ୍ରଦାନ କରିବା ପରେ ସେ ଏହାକୁ ତାଙ୍କର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହା ପରେ ଏହା ବିଭିନ୍ନ ଗୋଷ୍ଠୀ ଦ୍ୱାରା ଭାଇରାଲ ହୋଇଥିଲା। ଏହା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଯାଇ ସେମାନଙ୍କ ଆକାଉଣ୍ଟରୁ ଉକ୍ତ ସୂଚନା ପତ୍ରକୁ ହଟାଇବା ସହ ସେମାନଙ୍କୁ ଦେବଗଡ଼ ଥାନାକୁ ଆଣି ପଚରାଉଚୁରା କରାଯାଉଥିବା ଜଣାପଡିଛି। Share