ଯୌତୁକ ପାଇଁ ବଧୂ ହତ୍ୟା, ସ୍ତ୍ରୀକୁ ପୋଡି ମାରି ଦେଲେ ସ୍ୱାମୀ-ଶ୍ୱଶୁର

ଦେବଗଡ଼,ଏନ୍ଏନ୍ଏସ୍: ଏକ ଅଭାବନୀୟ ଘଟଣା କ୍ରମରେ ଗତକାଲି ରାତ୍ରିରେ ବାରକୋଟ ଥାନା ଅନ୍ତର୍ଗତ ପଡିଆନାଳୀ ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ସ୍ୱାମୀ-ଶ୍ୱଶୁର ମିଶି କିରାସିନି ଢାଳି ପୋଡି ହତ୍ୟା କରିଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧରରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳର ଚନ୍ଦ୍ରମଣୀ ସାହୁଙ୍କ ଝିଅ ଅଶ୍ୱନୀ ସାହୁ(୩୦)ଙ୍କୁ ପଡିଆନାଳୀ ଗ୍ରାମର ରବି ସାହୁଙ୍କ ପୁଅ ନେତ୍ରାନନ୍ଦ ସାହୁ ୧୦ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ଏବେ ସେମାନଙ୍କର ୬ ବର୍ଷର ଏକ ପୁତ୍ର ରହିଥିବା ଜଣାପଡିଛି। ତେବେ ଅଧିକ ଯୌତୁକ ପାଇଁ ଦାବି କରି ସ୍ୱାମୀ ନେତ୍ରାନନ୍ଦ ଓ ଶାଶୂଘର ପରିବାର ଲୋକେ ବିଭିନ୍ନ ସମୟରେ ଅଶ୍ୱନୀଙ୍କୁ ନିର୍ଯ୍ୟାତନା ଦେଇଥିଲେ। ଏହି କ୍ରମରେ ଗତକାଲି ରାତ୍ରି ପ୍ରାୟ ୧୧ଟା ସମୟରେ ପୁଣି ଥରେ ଅଶ୍ୱନୀ ଓ ସ୍ୱାମୀ ନେତ୍ରାନନ୍ଦଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଅଶ୍ୱନୀଙ୍କ ସ୍ୱାମୀ ନେତ୍ରାନନ୍ଦ ଓ ଶ୍ୱଶୁର ରବି ଘରେ ଥିବା କିରାସିନି ଅଶ୍ୱନୀଙ୍କ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ।

ଏ ସମ୍ପର୍କରେ ଅଶ୍ୱନୀଙ୍କ ଭାଇ ଟିକେଶ୍ୱର ସାହୁ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ନେତ୍ରାନନ୍ଦକୁ ପୁଲିସ ଅଟକ ରଖିଥିବା ବେଳେ ଅଭିଯୁକ୍ତ ଶ୍ୱଶୁର ରବି ଫେରାର ଥିବା ଜଣାପଡ଼ିଛି।