କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା, ବ୍ଲକ ସଭାପତି ଓ ଡିଜିଟାଲ ସଂଯୋଜକଙ୍କର ଏକ ବୈଠକ ଭବାନୀପାଟଣାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୃଣମୂଳସ୍ତରରେ ଛାତ୍ର ଓ ଯୁବ ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଆଗାମୀ ଦିନରେ ପଞ୍ଚାୟତସ୍ତରରେ ଏକ ନୂତନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ସାମାଜିକ ଗଣମାଧ୍ୟମ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି । ଏହି ଅବସରରେ କଳାହାଣ୍ଡି ମେଡିକାଲ କଲେଜ ପାଇଁ ଜାତୀୟ ମେଡିକାଲ ଆୟୋଗ ୧୦୦ଟି ଏମବିବିଏସ୍ ସିଟ୍ ଅନୁମୋଦନ କରିଥିବାରୁ ଜିଲ୍ଲା ଛାତ୍ର ଓ ଯୁବ ଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି ସାଂଗଠନିକ ସଭାରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାୟକ, ଭବାନୀପାଟଣା ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାୟକ ଓ ଆଇଟି ସେଲ ସଭାପତି ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସୋସିଆଲ ମିଡ଼ିଆ ସଂଯୋଜକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପିତବାସ ବେହେରାଙ୍କୁ ଯୁବ ଟାଉନ ସଭାପତି ଘୋଷଣା କରାଯାଇଥିଲା ।