ଘରୋଇ କ୍ରିକେଟ ସିଜିନ ଆରମ୍ଭ ନେଇ ବିସିସିଆଇର ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୧-୨୨ ଘରୋଇ କ୍ରିକେଟ ସିଜିନ ଆରମ୍ଭ ନେଇ ଘୋଷଣା କରାଯାଇଛି। କରୋନା ମହାମାରୀ ଯୋଗୁଁ ଦୀର୍ଘ ସମୟ ହେବ ଘରୋଇ କ୍ରିକେଟ ଖେଳର ଆୟୋଜନ ହୋଇପାରିନଥିଲା। ଏନେଇ ବିସିସିଆଇ ମହିଳା ଓ ପୁରୁଷ ଟିମ୍ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ କରିସାରିଛି। କରୋନା କଟକଣା ସହିତ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ବିସିସିଆଇ ଟୁଇଟର ଜରିଆରେ କାର୍ଯ୍ୟସୂଚୀ ସେୟାର କରିଛି। ଏହା ଅନୁସାରେ ସିନିଅର ମହିଳା ଦିନିକିଆ ମ୍ୟାଚ ସହିତ ଭାରତରେ ଘରୋଇ କ୍ରିକେଟ ସିଜିନ୍ ଆରମ୍ଭ ହେବ। ୨୧ ସେପ୍ଟେମ୍ବର ୨୦୨୧ରୁ ସିନିଅର ମହିଳା ୱାନଡେ ଚ୍ୟାଲେଞ୍ଜର ଟ୍ରଫି ସହିତ ସିଜିନ ଆରମ୍ଭ ହୋଇ ୨୭ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଚାଲିବ। ସୟଦ ମୁସ୍ତକ ଅଲି ଟ୍ରଫି ୨୦ ଅକ୍ଟୋବର ୨୦୨୧ରେ ଆରମ୍ଭ ହୋଇ ୧୨ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ। ୧୬ ନଭେମ୍ବର ୨୦୨୧ରୁ ରଣଜୀ ଟ୍ରଫି ଖେଳ ଆରମ୍ଭ ହେବ ଓ ୧୯ ଫେବୃଆରୀ ୨୦୨୨ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ସେହିପରି ବିଜୟ ହଜାରେ ଟ୍ରଫି ୨୩ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇ ୨୬ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଚାଲିବ। ଏଥିସହିତ ପୁରୁଷ ଓ ମହିଳାଙ୍କ ମଧ୍ୟରେ ମୋଟ ୨୧୨୭ଟି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।