ସଇଁନ୍ତଲା,ଏନ୍ଏନ୍ଏସ୍: ଗ୍ରୀଷ୍ମ ଋତୁରେ ସଇଁନ୍ତଲା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ସରକାରଙ୍କ ଘର ଘର ଜଳ ଘର ଘର ନଳ ଯୋଜନା ପ୍ରହସନ ପାଲଟିଛି । ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ପ୍ରଶାସନ ଅବହେଳା ଯୋଗୁ ଲୋକେ ପାଣି ପାଇଁ ନାନାଦି ସମସ୍ୟାର ସମାଧାନ କରୁଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତର ଜାମଖୁଣ୍ଟା ଓ ପେଣ୍ଡରାମାଲ ଗ୍ରାମରେ ୮ଶହରୁ ଅଧିକ ଲୋକେ ବସବାସ କରୁଛନ୍ତି । ସରକାରଙ୍କ ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଗାଁକୁ ପାଣି ଯୋଗାଇ ଦେବା ପାଇଁ ପେଣ୍ଡରାମାଲରେ ପ୍ରକୋଷ୍ଠ ତିଆରି କରାଯାଇଛି । କିନ୍ତୁ ଜାମଖୁଣ୍ଟା ଓ ପେଣ୍ଡରାମାଲକୁ ଗୋଟିଏ ସପ୍ତାହ ହେଲାଣି ପିଇବା ପାଣି ବନ୍ଦ ହୋଇଯାଇ ଥିବାବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାଦାର ବାବୁ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଷ୍ଟାଣ୍ଡ ପୋଷ୍ଟ ବି ତିଆରି କରାଯାଉଛି ଏବଂ ପ୍ରତ୍ୟେକ ଲୋକଙ୍କ ଘର ସମ୍ନାରେ ପାଇପ ବିଛାଇ ଦିଆ ଯାଇଥିଲେ ହେଁ ଏବେ ସେହି ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ ରହିଛି । ଗାଁମାନଙ୍କରେ ନଳକୂପ ରହିଛି କିନ୍ତୁ ଦୂଷିତ ପାଣି ବାହାରୁ ଥିବାବେଳେ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏନେଇ ସଇଁନ୍ତଲା ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ସମସ୍ୟା ସମ୍ପର୍କରେ ତଦନ୍ତ କରି ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।