ବାରିପଦା,ଏନ୍ଏନ୍ଏସ୍: ବାରିପଦା ପୌରପରିଷଦର ତଖପୁର ଅଞ୍ଚଳରେ ଏକ ଗ୍ୟାରେଜର ବନ୍ଦ କୋଠରୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। କୋଠରୀରେ ଯୁବତୀଙ୍କୁ ଝଲନ୍ତା ଅବସ୍ଥାରେ ଦେଖିବାପରେ ଗ୍ୟାରେଜ ମାଲିକ ରାଧାମାଧାବ ମହାକୁଡ ବାରିପଦା ଟାଉନ ଥାନାରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶିକ ଅବସ୍ଥାକୁ ଅନୁଧ୍ୟାନ କରିଥିଲା। ପୁଲିସ ଯୁବତୀର ପରିବାର ସଦସ୍ୟ ଓ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କବାଟ ଭାଙ୍ଗି ଶବ ଉଦ୍ଧାର କରିଥିଲା । ଅନ୍ୟପକ୍ଷରେ ଗ୍ୟାରେଜ ମାଲିକ ଯୁବତୀଙ୍କ ସହ ଲିଭିଙ୍ଗ ରିଲେସନ ରଖିଥିବା ଜଣେ ଯୁବକ କହିଛନ୍ତି।
ଗ୍ୟାରେଜର ମାଲିକ ରାଧାମାଧବଙ୍କ ଲିଖିତ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ରାଧାମାଧବଙ୍କ କହିବା ଅନୁସାରେ, ପ୍ରାୟ ୮ ଦିନ ପୂର୍ବେ ବରଗଡ଼ ଜିଲ୍ଲା ଅଞ୍ଚଳର ଏକ ଯୁବତୀ ସହିତ କୁଳିଅଣା ବ୍ଲକ ତେନ୍ତୁଳିଡ଼ିଙ୍ଗା ଅଞ୍ଚଳର ରାଜ ନାମକ ଜଣେ ଯୁବକ ଆସି ତାଙ୍କ ନିକଟରେ ପହଞ୍ଚି ନିଜକୁ ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ଘରଭଡ଼ା ନେଇ ରହିଥିଲେ। ଏଥିସହିତ ଯୁବତୀ ଜଣକ ଗ୍ୟାରେଜରେ ରୋଷେଇ କାମ କରୁଥିଲେ। ଆଜି ରାଧାମାଧବ ପହଞ୍ଚିବାପରେ ବନ୍ଦ କୋଠରୀ ଭିତରେ ଯୁବତୀଙ୍କୁ ଝଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ବାରିପଦା ଟାଉନ ଥାନା ଅଧିକାରୀ ପହଞ୍ଚି ଗ୍ୟାରେଜର ମୁଖ୍ୟ ଫାଟକକୁ ସିଲ କରିବା ସହିତ ଯୁବତୀର ସ୍ୱାମୀ ବୋଲି ପରିଚୟ ଦେଉଥିବା ରାଜ ଓ ଗ୍ୟାରେଜ ମାଲିକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଯୁବତୀର ପରିବାର ଲୋକଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନେ ପହଁଞ୍ଚିବା ପରେ ଓ ଶବର ପଞ୍ଚନାମା ରିପୋର୍ଟ ସହ କୋଠରୀ ଭିତରର ପାରିପାର୍ଶିକ ଅବସ୍ଥା ଆଦିକୁ ଅନୁଧ୍ୟାନ କରିବା ପରେ ଏହା ଆତ୍ମହତ୍ୟା ଅଥବା ହତ୍ୟା ତାହା ସ୍ପଷ୍ଟ ହୋଇଯିବ ବୋଲି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପ୍ରକାଶ କରିଛନ୍ତି।