ପୁଲିସ ଗୁଳିରେ ପୁଣି ଜଣେ ମାଓବାଦୀ ନିହତ

ଫୁଲବାଣୀ,ତୁମୁଡ଼ିବନ୍ଧ,ବେଲଘର,ଏନ୍ଏନ୍ଏସ୍: ପୁଲିସ ଗୁଳିରେ ଆଜି ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି।  ନିହତ ମାଓବାଦୀଙ୍କ ମୃତ ଶରୀର ଆଜି ସକାଳେ ଫୁଲବାଣୀ ପୁଲିସ୍ ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସପି ପ୍ରତିକ୍ ସିଂ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ରବିବାର ତୁମୁଡିବନ୍ଧ ଥାନା ସିର୍ଲା ପଞ୍ଚାୟତ ସିରିକୁଟି ଜଙ୍ଗଲରେ ପୁଲିସର ଏସଓଜି ଓ ଡିବିଏଫର ମିଳିତ ଟିମ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ମାଓବାଦୀମାନେ ଗ୍ରାମବାସୀଙ୍କୁ ଧମକଚମକ ଦେଉଥିଲେ। ଏହି ସୂଚନା ପାଇବାପରେ ପୁଲିସ  କୁମ୍ବିଂ ଅପରେସନକୁ ପୁଣି ଜୋରଦାର କରିଥିଲା। ମୃତ ମାଓବାଦୀଙ୍କ ନିକଟରୁ ଦୁଇଟି ଦେଶି ବନ୍ଧୁକ ସହ ଏକ କିଟ୍ ମିଳିଥିବା ଏସପି ଶ୍ରୀ ସିଂ କହିଛନ୍ତି।

ଅନ୍ୟପକ୍ଷରେ ରବିବାର ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୩ ଜଣଙ୍କ ପରିଚିୟ ମିଳିଥିବା ଏସପି ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଜିଏନ ଡିଭିଜନର ରାଜ୍ୟ ସଦସ୍ୟ ଶୁୁକ୍ରୁ ରହିଛି। ଯାହାକୁ ଧରିବା ପାଇଁ ସରକାର ୨୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଶୁୁକ୍ରୁଙ୍କ ଘର ମାଲକାନଗିରି ଅଞ୍ଚଳରେ। ସେହିପରି ଅନ୍ୟ ଚିହ୍ନଟ ଦୁଇ ଜଣ ହେଲେ ଛତିଶଗଡ ଅଞ୍ଚଳର ରିନା ଓ ଇତେଶ। ଏମାନେ ସଂଗଠନର ଆଞ୍ଚଳିକ ସଦସ୍ୟ ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଅନ୍ୟଜଣେ ନିହତ ମହିଳା ମାଓବାଦୀଙ୍କର ପରିଚୟ ବର୍ତମାନ ସୁଦ୍ଧା ମିଳି ନଥିବା ଏସପି କହିଛନ୍ତି।