ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ ଦାବିରେ ରାସ୍ତାରୋକ

ବାରିପଦା, ଏନ୍ଏନ୍ଏସ୍: ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପୋଡ଼ାଅସ୍ତିଆ-ଲୁଲୁଙ୍ଗ ରାସ୍ତାର ତେଲିବିଲା ଗ୍ରାମ ନିକଟରେ ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ଆଜି ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ପୂର୍ତ୍ତ ଓ ନିର୍ମାଣ ବିଭାଗର ଏସଡ଼ିଓ ବିରଞ୍ôଚ ନାରାୟଣ ପଣ୍ଡା, ବାରିପଦା ସଦର ଥାନା ଅଧିକାରୀ ପ୍ରେମଦା ନାୟକ, ଜିଲ୍ଲାପରିଷଦ ସଦସ୍ୟ ଦଶରଥ ମହାନ୍ତ, ଶିରିଶବଣି ସରପଂଚ ସୁଗନ୍ଧା ସୋରେନ ଓ ଶାମାଖୁଣ୍ଟା ସରପଞ୍ଚ ଚନ୍ଦ୍ରମୋହନ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ପୂର୍ତ୍ତ ଓ ନିର୍ମାଣ ବିଭାଗ ଏସଡ଼ିଓ ଶ୍ରୀପଣ୍ଡା ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସୂଚନାଯୋଗ୍ୟ, ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ ନହେବା କାରଣରୁ ବର୍ଷା ପାଣି ନିଷ୍କାସିତ ହୋଇନପାରି ଜମି ରହେ। ଫଳରେ କାନ୍ଥ ଧସି ପଡ଼ି ଧନ ଜୀବନ କ୍ଷୟକ୍ଷତି ଘଟାଇଥାଏ। ତେଣୁ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶାମାଖୁଣ୍ଟା ପଞ୍ଚାୟତ ସମିତି ପକ୍ଷରୁ ୬/୭ ବର୍ଷ ପୂର୍ବେ ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଏହି ରାସ୍ତା ପୂର୍ତ୍ତ ଓ ନିର୍ମାଣ ବିଭାଗ ଅଧୀନରେ ରହିଥିବାରୁ ବିଭାଗର ହସ୍ତକ୍ଷେପ ପରେ ଶାମାଖୁଣ୍ଟା ପଞ୍ଚାୟତ ସମିତି ଡ୍ରେନ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଥିଲା।